ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡର ବର୍ମିହାମଠାରେ ଚାଲିଥିବା ୨୨ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମାପନ ହୋଇଛନ୍ତି। ଚଳିତ ଥର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଦମଦାର ରହିଥିଲା। ବିଭିନ୍ନ କ୍ଷେତ୍ରରେ ଭାରତକୁ ପଦକ ଉପରେ ପଦକ ହାସଲ ହୋଇଛି। ଚଳିତ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମୋଟ ୬୧ଟି ପଦକ ହାସଲ ହୋଇଛି। ଏଥିରେ ୨୨ଟି ସ୍ଵର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି କାଂସ୍ୟ ପଦକ ରହିଛି।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କର ପ୍ରଦର୍ଶନ ସନ୍ତୋଷ ଜନକ ରହିଛି। ୨୦୧୦ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୧୦୧ଟି ପଦକ ହାସଲ ହୋଇଥିଲା। ଏହା ପରେ ଭାରତ କୌଣସି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୦ରୁ ଅଧିକ ପଦକ ହାସଲ କରିପାରି ନାହିଁ।

୨୦୦୨ ମସିହାରେ ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୩୦ଟି ସ୍ଵର୍ଣ୍ଣ ପଦକକୁ ମିଶାଇ ମୋଟ ୬୯ଟି ପଦକ ମିଳିଥିଲା। ଏହା ବ୍ୟତୀତ ୨୦୧୮ ମସିହାରେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୬୬ଟି ପଦକ ହାସଲ କରିଥିଲା ଭାରତ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ରେକର୍ଡ

୨୦୧୦ ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୩୮ଟି ସ୍ଵର୍ଣ୍ଣ ପଦକକୁ ମିଶାଇ ମୋଟ ୧୦୧ଟି ପଦକ ହାସଲ ହୋଇଥିଲା। ଏହା ପରେ ୨୦୦୨ ମସିହାରେ ମଞ୍ଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମୋଟ ୬୯ଟି ପଦକ ହାସଲ ହୋଇଥିବାବେଳେ ଏଥିରେ ୩୦ଟି ସ୍ଵର୍ଣ୍ଣ ପଦକ ରହିଥିଲା। ୨୦୧୮ ମସିହାରେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ୨୬ଟି ସ୍ଵର୍ଣ୍ଣ ପଦକକୁ ମିଶାଇ ମୋଟ ୬୬ଟି ପଦକ ଆଣିଥିଲେ ଭାରତୀୟ ଖେଳାଳି।

ସେହିପରି ୨୦୧୪ ମସିହାରେ ଗ୍ଲାସଗୋଠାରେ ଖେଳାଯାଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୧୫ଟି ସ୍ଵର୍ଣ୍ଣ ପଦକ ସହ ମୋଟ ୬୪ଟି ପଦକ ମିଳିଥିଲା। ୨୦୨୨ ମସିହା ଇଂଲଣ୍ଡର ବର୍ମିହାମଠାରେ ଖେଳା ଯାଇଥିବା ୨୨ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିବା ସହ ଦେଶ ପାଇଁ ମୋଟ ୬୧ଟି ପଦକ ଜିତିଛନ୍ତି। ଏଥିରେ ୨୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଖେଳାଳି।

Tags: #Sports #Games #CommonwealthGame2022 #India #Medal

Comment