ଓଡ଼ିଶାଲାଇଭ୍ ବ୍ୟୁରୋ

ସଫ୍ଟୱେୟାର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ କଥା ଏବେ ସାମ୍ନାକୁ ଆସିବାକୁ ଲାଗିଛି। ଶ୍ୱେତାଙ୍କ ମୃତ୍ୟୁ ପଛରେ କାରଣ ପ୍ରେମ ଓ ପ୍ରତାରଣା ରହିଥିବା କୁହାଯାଉଛି।

ପ୍ରେମ ଏବଂ ପ୍ରତାରଣା ତା’ ପରେ ଆତ୍ମହତ୍ୟା। ଏହିଭଳି ଅନେକ ଘଟଣା ଘଟୁଛି। କେଉଁଠି ପ୍ରେମରେ ପ୍ରତାରଣା ଯୋଗୁଁ ପ୍ରେମିକା ଆତ୍ମହତ୍ୟାର ବାଟ ବାଛୁଛି ତ, ଆଉ କେଉଁଠି ପ୍ରେମିକ ମଧ୍ୟ ଏହି ରାସ୍ତାକୁ ଅପଣେଇ ନେଉଛି। ଗତ କିଛି ମାସ ହେଲା ଏହିଭଳି ଘଟଣା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଟିଆସୁଛି। ଶନିବାର ଦିନ ମଧ୍ୟ ଏହିଭଳି ଘଟଣାର ପୁନରାବୃତ୍ତି ହୋଇଛି। ପ୍ରେମ, ପ୍ରତାରଣା ପରେ ବ୍ଲାକମେଲର ଶିକାର ହୋଇ ସଫ୍ଟୱେୟାର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଶ୍ୱେତାଙ୍କ ଡାଏରୀ

ଶନିବାର ଦିନ ଭୁବନେଶ୍ଵର ଶୈଳଶ୍ରୀ ବିହାର ଅଞ୍ଚଳର ଏକ ଭଡ଼ାଘରୁ ଶ୍ୱେତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ଘରୁ ଏକ ଡାଏରୀ ମଧ୍ୟ ଜବତ କରିଥିଲା ପୋଲିସ୍। ଡାଏରୀ ପୃଷ୍ଠା ଲେଉଟେଇବା ପରେ ପୋଲିସକୁ ମିଳିଥିଲା ଶ୍ୱେତାଙ୍କ ମୃତ୍ୟୁ ପଛର କାରଣ। ଡାଏରୀକୁ ନେଇ ପୋଲିସର ତଦନ୍ତ ଆଗକୁ ବଢ଼ିଛି। ଡାଏରୀରେ ଉଲ୍ଲେଖ ରହିଥିବା ନାଁକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ବାପାଙ୍କ ବିସ୍ଫୋରକ ବୟାନ

ସଫ୍ଟୱେୟାର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ଦେଇଛନ୍ତି ବିସ୍ଫୋରକ ବୟାନ। ଯାହାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଶ୍ୱେତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ। ଝିଅକୁ ଆତ୍ମହତ୍ୟା କରିବା ପାଇଁ ସୌମ୍ୟଜିତ ବାଧ୍ୟ କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ଶ୍ୱେତାଙ୍କ ବାପା।

ଶ୍ୱେତାଙ୍କ ବାପା କହିଛନ୍ତି, “ସୌମ୍ୟଜିତ ୭/୮ ମାସ ଧରି ଶ୍ୱେତାଙ୍କୁ ଏକତରଫା ପ୍ରେମ କରୁଥିଲା। ପ୍ରେମ ନିବେଦନକୁ ଗ୍ରହଣ ନକଲେ ହାତ କାଟି ଦେବ ବୋଲି ବାରମ୍ବାର ଧମକ ମଧ୍ୟ ଦେଉଥିଲା। ପରେ ୨୦୧୮ରେ ଉଭୟ ସମ୍ପର୍କକୁ ଆସିଥିଲେ।”

ଶ୍ୱେତା ଏବଂ ସୌମ୍ୟଜିତ ଏକ ପ୍ରତିଷ୍ଠିତ ଘରୋଇ କମ୍ପାନିରେ ସଫ୍ଟୱେୟାର ଇଞ୍ଜିନିଅର ଭାବେ କାମ କରୁଥିଲେ। କିଛି ଦିନ ପରେ ସୌମ୍ୟଜିତ ଅନ୍ୟ ଏକ ଶାଖାକୁ ଟ୍ରାନ୍ସଫର ହୋଇଯାଇଥିଲେ। ଦୁହିଙ୍କ ପ୍ରେମ ସମ୍ପର୍କ ବିଷୟରେ ଦେଢ଼ ବର୍ଷ ପରେ ଜାଣିବାକୁ ପାଇଥିଲେ ପରିବାର ଲୋକ। ଏହା ପରେ ଉଭୟଙ୍କ ବିବାହ କଥା ଚିନ୍ତା କରିଥିଲେ। କିଛି ମାସ ପୂର୍ବରୁ ବିବାହ ପ୍ରସ୍ତାବ ନେଇ ସୌମ୍ୟଜିତଙ୍କ ଘରକୁ ଯାଇଥିଲେ ଶ୍ୱେତାଙ୍କ ବାପା। କିନ୍ତୁ ସୌମ୍ୟଜିତଙ୍କ ପରିବାର ଲୋକ ୩୦ ଲକ୍ଷ ଟଙ୍କା ଯୌତୁକ ଦାବି କରିବା ସହ ଅପମାନ ଦେଇଥିବା ଶ୍ୱେତାଙ୍କ ବାପା ଅଭିଯୋଗ କରିଛନ୍ତି।

ଶ୍ୱେତାଙ୍କ ବାପା ଆହୁରି ଅଭିଯୋଗ କରିଛନ୍ତି ଯେ, “ଶ୍ୱେତାଙ୍କୁ ସୌମ୍ୟଜିତ ବ୍ଲାକ ମେଲ କରୁଥିଲା। ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଉଥିଲା। ଟଙ୍କା ମାଗିବା ସହ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ୍ ଦେଉଥିଲା।”

ମୋ ଭଉଣୀକୁ ମାରିଦେଲା: ଶ୍ୱେତାଙ୍କ ଭାଇ

“ମୋ ଭଉଣୀ ଆତ୍ମହତ୍ୟା କରିନି, ତାକୁ ମାରିଦେଲା।” ଏମିତି କିଛି ଲୁହଭିଜା ଆଖି ଆଉ କୋହଭରା କଣ୍ଠରେ କହିଛନ୍ତି ଶ୍ୱେତାଙ୍କ ଭାଇ। ଶ୍ୱେତାଙ୍କ ପୁରୁଷ ବନ୍ଧୁ ବାରମ୍ବାର ନିର୍ଯାତନ ଦେବା ସହ ବ୍ଲାକମେଲ କରିବାରୁ ସେ ମରିବାକୁ ବାଧ୍ୟ ହେଲା। ଯାହା ପାଇଁ ମୋ ଭଉଣୀ ମରିଛି, ଆଜି ସେ ବାହାରେ ବୁଲୁଛି। ତାକୁ ଗିରଫ କରାଯିବା ଦରକାର ବୋଲି ଶ୍ୱେତାଙ୍କ ଭାଇ କହିଛନ୍ତି।

ଶ୍ୱେତାଙ୍କ ବାପା କହିବା ଅନୁସାରେ, ଗତ ଶୁକ୍ରବାର ଦିନ ପରିବାର ଲୋକେ ବାରମ୍ବାର ଶ୍ୱେତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଫୋନ୍‌ ବନ୍ଦ ରହିଥିଲା। କିଛି ଉପାୟ ନପାଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ। ଅଭିଯୋଗ ପରେ ପୋଲିସ ଶ୍ୱେତା ରହୁଥିବା ଭଡ଼ା ଘରକୁ ଯାଇଥିଲା। କିନ୍ତୁ ଘର ଭିତରପଟୁ ବନ୍ଦ ଥିବାରୁ କବାଟ ଭାଙ୍ଗି ପୋଲିସ ଘର ଭିତରକୁ ପ୍ରବେଶ କରି ଶ୍ୱେତାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିଥିଲା। ପୋଲିସ୍ ଶବ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା।

Tags: #SwetaUtkalKumari #SuicideCase #LoveRelation #PoliceCase

Comment