ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକ ଜେଲ୍‌ ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ଘଟଣାରେ ପଚରାଉଚରା କରିବା ପରେ ଟୁଟୁ ନାୟକଙ୍କୁ ଗିରଫ କରିଥିଲା ଖାରବେଳନଗର ଥାନା ପୋଲିସ।

ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟୁଟୁ ନାୟକଙ୍କୁ ଜେଲ୍‌କୁ ନିଆଯାଇଛି। ଆସନ୍ତା ସୋମବାର ଦିନ ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ।

ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣାରେ ଶନିବାର ଦିନ ଥାନାକୁ ଆଣି ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଶୁକ୍ରବାର ଦିନ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡ଼ିଆ ସିନେମା ପ୍ରଯୋଜକ ଟୁଟୁ ନାୟକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ମହିଳା କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶନିବାର ଦିନ ଭୁବନେଶ୍ଵର ଡିସିପିଙ୍କୁ ଭେଟି ଦାବି କରିଥିଲେ ରାଜ୍ୟ ମହିଳା ସାମ୍ବାଦିକା ସଂଘ। ଏହି ସହିତ ମହିଳା ସାମ୍ବାଦିକାଙ୍କ ଲାଗି ଏକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ପୋଲିସ ସହାୟତା ଯୋଗାଇ ଦେବାକୁ ଭୁବନେଶ୍ଵର ଡିସିପିଙ୍କୁ ନିବେଦନ କରାଯାଇଛି।

Tags: #MisbehaveToWomanJournalistCase #PoliceCase #senttojail #CineProducerTutuNayak #KharvelnagarPoliceStation #odisha

Comment