ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ, ଦ୍ୱାଦଶ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଓଡ଼ିଶାର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଲକ୍‌ରେ ତଥା ଭୁବନେଶ୍ୱରରେ ଗୋଟିଏ ଆଇକନିକ ଆଦର୍ଶ ସ୍କୁଲ ରହିଛି। ସିବିଏସ୍ଇ ଢାଞ୍ଚାରେ ଏହି ସ୍କୁଲ ମାନଙ୍କରେ ହଷ୍ଟେଲ ସୁବିଧା ସହିତ ପାଠ ପାଢାଯାଉଛି। ତେବେ ଉକ୍ତ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ଅନୁଭୂତି ସଂପର୍କରେ ପିଲାମାନଙ୍କୁ ପଚାରି ବୁଝିଥିଲେ ଏବଂ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ପିଲାମାନଙ୍କ ସହ ମତ ବିନିୟମ କରି ୫-ଟି ସଚିବ ଭି କେ ପାଣ୍ଡିଆନ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କ ମତାମତ ଲୋଡିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ବିଭାଗୀୟ ସଚିବ ଅଶ୍ଵଥି ଏସ୍‌ ସ୍ଵାଗତ ଭାଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବରିଷ୍ଠ ଅଧିକାରୀ ଏବଂ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପିଲାମାନେ ହେଲେ କଳାହାଣ୍ଡି ଜିଲ୍ଲାର ମୁଷିଗୁଡା ଆଦର୍ଶ ବିଦ୍ୟାଳୟର ସୁଧନ୍ୟା ପତି ଓ ମୟୂରଭଞ୍ଜ ଜିଲ୍ଲାର ଗରୁଡବସା ଆଦର୍ଶ ବିଦ୍ୟାଳୟର ବୈବଶ୍ଵେତା ଆଚାର୍ଯ୍ୟ।

ସେହିପରି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନେ ହେଲେ କେନ୍ଦୁଝର ଜିଲ୍ଲାର ସାଳପଡା ଆଦର୍ଶ ବିଦ୍ୟାଳୟର ଇଶାନୀ ବିଶୋଇ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟର ଏସ୍‌ ଅନୁଭବ ଦୋରା, କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ଏମ୍‌ ମୋହିତ ରେଡ୍ଡୀ, ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟର ସିପଦ ଯଜ୍ଞ ପ୍ରସାଦ ଆଚାରୀ ଓ କୋରାପୁଟ ଜିଲ୍ଲାର କୋଟପାଡ ଆଦର୍ଶ ବିଦ୍ୟାଳୟର ଓମ୍‌ ଆର୍‌ୟାନ ବିଶ୍ୱାଳ।

Tags: #CMNaveenPattanaik #AdarshaschoolOdisha #Scholars #VKPandian #CMO #schoolandMassEducationDepartment #SameerDas

Comment