ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସମ୍ବର୍ଦ୍ଧିତ ହୋଇଥିବା ୪୬ଜଣଙ୍କ ମଧ୍ୟରେ ଓଡ଼ିଶାର ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ଅଛନ୍ତି। ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ ଈଶ୍ୱର ଚନ୍ଦ୍ର ନାୟକ କାର୍ଯ୍ୟରତ ଅଛନ୍ତି। ନିଆରା ଢଙ୍ଗରେ ଶିକ୍ଷାଦାନ ପାଇଁ ସେ ଏହି ଜାତୀୟ ପୁରସ୍କାର ହାସଲ କରିଛନ୍ତି।

ନିମାପଡ଼ା ବ୍ଲକର ଏକ ଗ୍ରାମରେ ଈଶ୍ୱର ଚନ୍ଦ୍ର ନାୟକଙ୍କ ଜନ୍ମ। ନିଜ ପାଠପଢ଼ା ସମୟରେ ଈଶ୍ୱର ଖୋଦ୍ ଜଣେ ଉତ୍ତମ ଛାତ୍ର ଥିବାବେଳେ ସେ ତାଙ୍କ ବୃତ୍ତିଗତ ଜୀବନରେ ଅନେକ ଆଦର୍ଶ ଛାତ୍ର ଗଠନ କରିଛନ୍ତି। ବାରାଣାସୀସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି (ଆଇଆଇଏଚଟି)ରୁ ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଜଣେ ଦକ୍ଷ ଇଞ୍ଜିନିୟର ଭାବେ ଦେଶର ବିଭିନ୍ନ କମ୍ପାନିରେ ପ୍ରାୟ ୮ ବର୍ଷ ସେ କାର୍ଯ୍ୟ କରିଛନ୍ତି।

ଇଞ୍ଜିନିୟରିଂ ଚାକିରୀ ଛାଡ଼ି ସେ ୨୧ ବର୍ଷ ତଳେ ଶିକ୍ଷକତାକୁ ଆପଣେଇଥିଲେ। ୨୦୦୧ ମସିହାରେ ଈଶ୍ୱର ଚନ୍ଦ୍ର ନାୟକ ଶିକ୍ଷକତା ବୃତ୍ତି ଆରମ୍ଭ କରିଥିଲେ। ଭଲ ଦରମାକୁ ଖାତିର ନକରି ମାତ୍ର ୧,୫୦୦ ଟଙ୍କା ମାସିକ ବେତନରେ ସେ ଶିକ୍ଷକ ଭାବେ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ମନ ବଳାଇଥିଲେ।

ନିଆରା ଶୈଳୀରେ ପାଠପଢ଼ା ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ସହ ତାଙ୍କର ସୃଜନଶୀଳତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଏପର୍ଯ୍ୟନ୍ତ ପ୍ରାୟ ୧୮ଟି ବହି ଲେଖିଥିବାବେଳେ ରାଜ୍ୟର ବୟନ ଶିଳ୍ପ ଓ ବିଦ୍ୟାଳୟ ଶିକ୍ଷା ସମ୍ପର୍କିତ ଲେଖାଗୁଡ଼ିକ ବେଶ୍ ପାଠକାଦୃତ ହୋଇପାରିଛି।

୨୦୧୭ରେ ସେ ନିଜ ଗାଁରେ ପିଲାଙ୍କ ଦକ୍ଷତା ବିକାଶ ପାଇଁ ଏକ ନିଃଶୁଳ୍କ କେନ୍ଦ୍ର ଖୋଲିଛନ୍ତି। ଏଠାରେ ଗ୍ରାମର ପିଲାମାନେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିବା ସହ କ୍ୟାରିୟର କାଉସେଲିଂର ସୁବିଧା ମଧ୍ୟ ପାଉଛନ୍ତି।

୨୦୨୧ ରେ ତାଙ୍କ ରଚିତ ପୁସ୍ତକ ‘ଅଳିଆରୁ ଅ ଆ’ ବିଦ୍ୟାଳୟ ଯିବାକୁ ଚାହୁଁନଥିବା ପିଲାଙ୍କ ପାଇଁ ଶିକ୍ଷଣୀୟ ସାବ୍ୟସ୍ତ ହୋଇଥିଲା। ତାଙ୍କର ପୁସ୍ତକ ‘ଓ୍ଵିଭସ୍ ଇନ୍ ଟେକ୍ସଟାଇଲସ୍ ‘ ଦେଶର ୧୦ ଟି ଆଇଆଇଏଚଟିରେ ଏକ ରେଫରେନ୍ସ ପୁସ୍ତକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ତାଙ୍କ ପାଇଁ ଶିକ୍ଷା ଓ ବୟନ ଶିଳ୍ପ ଉଭୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ଈଶ୍ୱର ଚନ୍ଦ୍ର କୁହନ୍ତି। ୟୁଟ୍ୟୁବ୍ ଚ୍ୟାନେଲ୍ ‘ଟିଚର୍ସ ଓଡ଼ିଆ’ ଓ ‘କେମେଷ୍ଟ୍ରି ଗଙ୍ଗା’ ମାଧ୍ୟମରେ ମଧ୍ୟ ସେ ଶିକ୍ଷା ପ୍ରଦାନ କରୁଛନ୍ତି।

Tags: #AliaruAAA #IswarChandraNayak #NationalAwardTeachersDay #WeavesInTextiles #ChemestryGanga #IIHT #Teachersodia #PresidentOfIndia

Comment