ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଗୁରୁଦିବସ ଅବସରରେ କେତେକ ପୁରସ୍କାରର ଶୁଭାରମ୍ଭ କରାଯାଇଛି। ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ, “ଆୟୋଗ ଗୁରୁଦିବସ ଅବସରରେ ଜଣେ କନ୍ୟା ସନ୍ତାନ ଏବଂ ସେବାନିବୃତ ଶିକ୍ଷକ ସମେତ ବିଭିନ୍ନ ବର୍ଗ ପାଇଁ  ୫ଟି ଫେଲୋସିପ୍ ଏବଂ ରିସର୍ଚ୍ଚ ଅନୁଦାନର ଶୁଭାରମ୍ଭ କରିଛି।”

ଗୋଟିଏ କନ୍ୟା ସନ୍ତାନଙ୍କ ପାଇଁ “ସାବିତ୍ରୀ ଜ୍ୟୋତିରାଓ ଫୁଲେ ଫେଲୋସିପ୍’, ଡାକ୍ତର ରାଧାକ୍ରିଷ୍ଣନ୍ ୟୁଜିସି ପୋଷ୍ଟ ଡକ୍ଟରାଲ ଫେଲୋସିପ୍, ସେବାନିବୃତ ଶିକ୍ଷକ ଫେଲୋସିପ୍,  ସେବାରତ ଶିକ୍ଷକ ଅନୁସନ୍ଧାନ ଅନୁଦାନ ଓ ନିଯୁକ୍ତ ହୋଇଥିବା ନୂଆ ଶିକ୍ଷକଙ୍କ ପାଇଁ ଡାକ୍ତର ଡି ଏସ କୋଠାରୀ ଅନୁସନ୍ଧାନ ଅନୁଦାନ ଭଳି ପୁରସ୍କାର ପ୍ରଦାନ କରାଯିବ।

ସେବାନିବୃତ ଶିକ୍ଷକ ଫେଲୋସିପ୍ ସେବାନିବୃତ ହୋଇଥିବା ଶିକ୍ଷକଙ୍କୁ ରିସର୍ଚ୍ଚ ଅବସର ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଉଛି।   ୧୦୦ ଜଣଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ଏଥିପାଇଁ ମନୋନୀତ ହୋଇଥିବା ଆଶାୟୀଙ୍କୁ ପ୍ରତିମାସରେ ୫୦ ହଜାର ଟଙ୍କା ଏବଂ ବାର୍ଷିକ ୫୦ହଜାର ଟଙ୍କା ଅତିରିକ୍ତ ରାଶି ଭାବରେ ଦିଆଯିବ।

ସେବାରତ ଶିକ୍ଷକ ଅନୁସନ୍ଧାନ ଅନୁଦାନରେ ନିୟମିତ ନିଯୁକ୍ତ ଶିକ୍ଷକଙ୍କୁ ରିସର୍ଚ୍ଚର ସୁଯୋଗ ଦିଆଯିବ। ଏଥିରେ ୨୦୦ ମନୋନୀତଙ୍କୁ ଦୁଇ ବର୍ଷ ପାଇଁ  ୨୦ ଲକ୍ଷ ଟଙ୍କା ଦିଆଯିବ।

ଡାକ୍ତର ରାଧାକ୍ରିଷ୍ଣନ୍ ୟୁଜିସି ପୋଷ୍ଟ ଡକ୍ଟରାଲ ଫେଲୋସିପ୍ ଅନୂଯାୟୀ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାନରେ ଭାଷା ସହ ବିଜ୍ଞାନ, ପ୍ରଦ୍ୟୋଗିକ, ମାନବିକ ଏବଂ ସମାଗ ବିଜ୍ଞାନରେ ଉଚ୍ଚ ଅଧ୍ୟୟନ ଏବ ଗବେଷଣା କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ। ଏଥିରେ ୯୦୦ ଆସନ  ରହିଛି ଯେଉଁଥିରେ ୩୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ମନୋନୀତଙ୍କୁ ପ୍ରତିମାସରେ ଫେଲୋସିପ୍ ବାବଦରେ ମାସିକ ୫୦ହଜାର ଟଙ୍କା ଏବଂ ଅତିରିକ୍ତ ୫୦ହଜାର ଟଙ୍କା ବାର୍ଷିକ ରାଶି ଦିଆଯିବ।

Tags: #UGC #Teachersfellowship #teachersDay

Comment