ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅନର୍ସ ଡିଗ୍ରୀ ପାଇଁ ଚାରି ବର୍ଷ
  • ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇଁ ପୂର୍ବ ପରି ପଢ଼ିବେ ତିନିବର୍ଷ
  • ସ୍ନାତକରେ ଅନର୍ସ ଡିଗ୍ରୀ ସାର୍ଟିଫିକେଟ୍ ପାଇଁ ପଢ଼ିବାକୁ ପଡ଼ିବ ୪ ବର୍ଷ
  • ଆସନ୍ତା ସୋମବାର ୟୁଜିସି ପକ୍ଷରୁ ପ୍ରକାଶ ପାଇବାରେ ବିଜ୍ଞପ୍ତି

ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢ଼ିବାକୁ ପଡିବ। ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍‌-ଇୟର୍‌ ଅଣ୍ଡର୍‌ଗ୍ରାଜୁଏଟ୍‌ ପ୍ରୋଗ୍ରାମସ୍‌’ (ଏଫ୍‌ୱାଇୟୁପି) କରିବାକୁ ପଡ଼ିବ। ଏନେଇ ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ସ୍‌ କମିସନ୍‌’ (ୟୁଜିସି) ପକ୍ଷରୁ ସୋମବାର ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇପାରେ।

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି। ଏହା ଅଧୀନରେ ୟୁଜିସି ଦ୍ୱାରା ୪ ବର୍ଷର ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରିବାକୁ ସୋମବାର ଘୋଷଣା କରାଯିବ। ୪ ବର୍ଷର ସ୍ନାତକ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ଦିଆଯିବ।

ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢ଼ିବାକୁ ପଡ଼ିବ। କିନ୍ତୁ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢ଼ିବାକୁ ପଡ଼ିବ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟାରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ସାର୍ଟିଫିକେଟ୍ ଦିଆଯିବ।

ଯେଉଁ ଛାତ୍ରଛାତ୍ରୀମାନେ ଏବେ ତିନି ବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଛନ୍ତି। ସେମାନେ ମଧ୍ୟ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ପଢିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି। ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ। ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ।  ତିନି ବର୍ଷିଆ ସ୍ନାତକ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ।

ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରଛାତ୍ରୀମାନ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି। ଏହି ପାଠ୍ୟକ୍ରମରେ କ୍ରେଡିଟ୍ ସିଷ୍ଟମ୍ ଲାଗୁ ହେବ, ଆଉ ଏହି ନିୟମ ଆଧାରରେ ୧୬୦ କ୍ରେଡିଟ୍ ସ୍କୋର କରୁଥିବା ଛାତ୍ରଛାତ୍ରୀଙ୍କୁ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ।

Tags: #HonoursDegree #UGC #College #DegreeCertificate #ResearchPaper #Odisha

Comment