ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାଂସଗ୍ରୀ ଜବତ କରାଯାଇଛି। ଏ ନେଇ ଗୁରୁବାର ଦିନ କୋରାପୁଟ ଏସପି ବରୁଣ ଗୁଣ୍ଟପାଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଓ ମାଲକାନଗିରି ପୋଲିସ ଥାନା ଅନ୍ତର୍ଗତ କୁସୁମପୁଟ, ମାତାମପୁଟ ସମେତ ଆନ୍ଧ୍ରପ୍ରଦେଶର ଆଲୁରି ସୀତରମରାଜୁ ଜିଲ୍ଲା ଯୋଡ଼ିଗୁମ୍ମା ଅଞ୍ଚଳରେ ଓଡ଼ିଶା ପୋଲିସ ଓ ବିଏସଏଫର ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସର୍ଚ୍ଚ ଅପରେସନ ବେଳେ ଅନ୍ଦ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପୁଟ ନିକଟ ଜଙ୍ଗଲ ମଧ୍ୟରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଠାବ କରାଯାଇଥିଲା। ମାଟି ତଳେ ମାଓବାଦୀ ଲୁଚାଇ ରଖିଥିବା ୭୦ ହଜାର ଟଙ୍କା, ୧୭ ମିଟର କୋଡେକ୍ସ ତାର, ୩୧ଟି ଜିଲେଟିନ କାଠି, ୧୧ଟି ଇଲେକ୍ଟ୍ରିକ ଡିଟୋନେଟର, ୨ଟି ଟିଫିନ୍ ବୋମା ଓ ଗୋଟିଏ ପ୍ରେସର୍ କୁକର ବୋମା ଜବତ କରାଯାଇଥିଲା।

ପୋଲିସ୍ ଉପରେ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହି ବିସ୍ଫୋରକ ସାମଗ୍ରୀ ଗୁଡ଼ିକୁ ମାଓବାଦୀମାନେ ଲୁଚାଇ ରଖିଥିବା ଆଶଙ୍କା କରାଯାଉଛି।

Tags: #Maoist #MaoistDump #SearchOperation #OdishaAndhraBorder #OdishaPolice #BSF

Comment