ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହାନ୍ତି।

ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି ହୋଇ ସେହି ଦିନ ଫଳାଫଳ ଘୋଷଣା କରାଯିବ।

ଗତ ସେପ୍ଟେମ୍ବର ୧୯ ତାରିଖରେ କିଡନୀ ରୋଗରେ ପୀଡ଼ିତ ହୋଇ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ବିୟୋଗ ଘଟିଲା। ସେବେଠାରୁ ଏହି ଆସନ ଖାଲିପଡ଼ି ଥିବାରୁ ଏହି ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି।

ବିଷ୍ଣୁ ଚରଣ ସେଠୀ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୦ ମସିହାରେ ପ୍ରଥମ ଥର ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ସରକାରଙ୍କୁ ଘେରୁଥିଲେ। ରାଜନୈତିକ ଜୀବନ ପୂର୍ବରୁ ଆରଏସଏସର ଜଣେ ସକ୍ରିୟ ସଦସ୍ୟ ଥିଲେ ବିଷ୍ଣୁ ରଚଣ ସେଠୀ। ପରେ ସେ ବିଜେପି ଯୁବ ମୋର୍ଚ୍ଚାରେ ସାମିଲ ହୋଇଥିଲେ।

Tags: #Politics #OdishaPolitics #Election #ByElection #DhamnagarByElection

Comment