ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ଵ କପ୍‌ରେ ବୁଧବାରଦିନ ବାଂଲାଦେଶକୁ ୫ ରନରେ ପରାସ୍ତ କରି ସେମିଫଇନାଲର ନିକଟତର ହୋଇଛି ଭାରତ। ଆଡିଲେଡରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। । ପ୍ରଥମେ ବ୍ୟାଟିଂ କରି ଭାରତ ୧୮୪ ରନ ସଂଗ୍ରହ କରିଥିଲା ।

ଭାରତ ପକ୍ଷରୁ ପ୍ରଥମେ ରୋହିତ ଶର୍ମା ଓ କେ ଏଲ ରାହୁଲ ବ୍ୟାଟିଂ କରିବାକୁ ଆସିଥିଲେ ମାତ୍ର ପ୍ରଥମେ ସେମାନେ ବାଂଲାଦେଶର ଘାତକ  ବୋଲିଂର ଶିକାର ହୋଇଥିଲେ । ବିପକ୍ଷ ଦଳର ବୋଲେରମାନେ ଭାରତୀୟ ଖେଳାଳିମାନଙ୍କୁ ପାୱାରପ୍ଲେରେ ବାନ୍ଧି ରଖିଥିଲେ। ରୋହିତ ଶର୍ମା ମାତ୍ର ୬ ରନ କରି ଆଉଟ ହେବା ପରେ ରାହୁଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିବା ସହ ଦ୍ୱିତୀୟ ୱିକେଟ ପାଇଁ ୬୭ ରନ ଯୋଡ଼ିଥିଲେ।

ଏହି ମ୍ୟାଚରେ  କେ ଏଲ ରାହୁଲ ୫୦ ରନ କରି  ନିଜ ଫର୍ମକୁ ଫେରିଥିଲେ। ପରେ ସୂର୍ଯ୍ୟ କୁମାର ଯାଦବ ଓ ଅନ୍ୟମାନେ ବିରାଟ କୋହଲିଙ୍କ ସହ ମିଶି ଭାରତ ପାଇଁ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ବିରାଟ କୋହଲି ଅପରାଜିତ ରହିବା ସହ ୬୪ ରନ ସଂଗ୍ରହ କରିଥିଲେ।

ବାଂଲାଦେଶ ଓପନର ନାଜମୁଲ ହସନ ଓ ଲିଟନ ଦାସ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିବା ସହ ସପ୍ତମ ଓଭାର ବେଳକୁ ଦଳ କୌଣସି ୱିକେଟ ନହରାଇ ୬୬ ରନ ହାସଲ କରିବାରେ ସଫଳ ହୋଇଥିଲା। ଆଡିଲେଡରେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରପ୍ତ ହେବାରୁ ଓଭର ସଂଖ୍ୟା ୧୬କୁ ହ୍ରାସ କରାଯାଇ ବାଂଲାଦେଶକୁ ୧୫୧ ରନର ନୂତନ ଲକ୍ଷ୍ୟ ଦିଆଯାଇଥିଲା। ବାଂଲାଦେଶକୁ ଆଉ ୯ ଓଭରରେ ୮୫ ରନ ଦରକାର ପଡ଼ୁଥିଲା। ପ୍ରଥମେ କେ ଏଲ ରାହୁଲ ଓପନର ଲିଟନ ଦାସଙ୍କୁ ରନଆଉଟ କରିବାରେ ସଫଳ ହୋଇଥିଲେ। ଲିଟନ ଦାସ ୨୭ ବଲରୁ ୭ଟି ଚୌକା ଓ ୩ଟି ଛକା ଜରିଆରେ ୬୦ ରନ ସଂଗ୍ରହ କରିଥିଲେ। ମାତ୍ର ଏହାପରେ ନିୟମିତ ଅନ୍ତରାଳରେ ବାଂଲାଦେଶର ୱିକେଟ ଗୋଟିଏ ପରେ ଗୋଟିଏ ଯାଇଥିଲା। ୧୩ ତମ ଓଭର ବେଳକୁ ଦଳ ୧୦୮ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଯାଇଥିଲା।

ଶେଷ ଓଭରରେ ଆଉ ୧୯ ରନ ଦରକାର ଥିବାବେଳେ ବାଂଲାଦେଶ ଟିମ୍ ଏହାକ ପୂରା କରିନପାରି ୫ ରନରେ ପରାସ୍ତ ହୋଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨-୨ଟି ୱିକେଟ ନେଇଥିଲେ। ଦମଦାର ପ୍ରଦର୍ଶନ ପାଇଁ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ବିଜୟ ବଳରେ ଭାରତୀୟ ଟିମ ଗ୍ରୁପ୍ ଶୀର୍ଷରେ ରହି  ସେମିଫଇନାଲରେ ପ୍ରବେଶ କରିବାକୁ ଅଗ୍ରସର ହୋଇଛି।

Tags: #Sports #Cricket #T20WorldCup #TeamIndia #T20Match #Semifinal

Comment