ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ମଡର୍ନ ମାଷ୍ଟର ବିରାଟ କୋହଲିଙ୍କୁ ଅକ୍ଟୋବର ମାସ ପାଇଁ ଆଇସିସି ପ୍ଲେୟାର୍ ଅଫ ଦି ମନ୍ଥ୍ ପୁରସ୍କାର ପ୍ରଦାନ କରିଛି। ଚଳିତ ୨୦୨୨ ମସିହା ଟି-୨୦ ବିଶ୍ଵକପରେ ଭଲ ପ୍ରଦର୍ଶନ କରି ସେ ଏହି ପୁରସ୍କାର ହାସଲ କରିଛନ୍ତି। ଶନିବାର ନିଜ ୩୪ ତମ ଜନ୍ମଦିନରେ ପଦାର୍ପଣ କରିଥିବା କୋହଲିଙ୍କୁ ଏହି ପୁରସ୍କାର ଭେଟି ସ୍ଵରୂପ ମିଳିଛି।

୨୦୦୮ ମସିହାରୁ ଅନ୍ତର୍ଜାତୀୟ ଖେଳ ଆରମ୍ଭ କରିଥିବା ବିରାଟ ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଏକ ପ୍ରମୁଖ ଖେଳାଳି ଭାବେ ନିଜ ସ୍ଥିତି ବଜାୟ ରଖିଛନ୍ତି।ଏହା ପୂର୍ବରୁ ସେ ୨୦୦୮ ମସିହାରେ ହୋଇଥିବା ଅଣ୍ଡର୍ ୧୯ ବିଶ୍ଵକପରେ ଭାରତୀୟ ଦଳର ଅଧିନାୟକତ୍ଵ କରି ଭାରତକୁ ବିଜୟୀ କରାଇଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କଠାରୁ  ଅଧିନାୟକ ଭାର ଗ୍ରହଣ କରିବା ପରେ ଭାରତୀୟ ଦଳକୁ ୧ନମ୍ବର ସ୍ଥାନରେ ପହଞ୍ଚାଇବାରେ ତାଙ୍କର ବଡ଼ ଅବଦାନ ଥିଲା।

ବିରାଟ କୋହଲି ହେଉଛନ୍ତି ଏକମାତ୍ର ଖେଳାଳି ଯେ କ୍ରିକେଟ ଏକଦିବସୀୟ ମ୍ୟାଚରେ ଦୃତତମ ୮୦୦୦, ୯୦୦୦, ୧୦,୦୦୦, ୧୧,୦୦୦ ଓ ୧୨,୦୦୦ ରନ ସଂଗ୍ରହ କରିଛନ୍ତି । ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ୨୦୧୯ରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିଥିଲା। ସଚିନ ତେନ୍ଦୁଲକରଙ୍କ ପରେ ଏକଦିବାସୀୟ ଖେଳରେ ସେ ଦ୍ଵିତୀୟ ଭାରତୀୟ ଭାବେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ।

ବିରାଟ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ ୩୯୫୮ କରିଛନ୍ତି। ଏହା ଛଡା ଟି-୨୦ରେ ସର୍ବାଧିକ ୫୦ ରନ (୩୬ ଥର) ଏବଂ  ଟି -୨୦ ମ୍ୟାଚରେ ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ ଓ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ପାଇବାରେ ରେକର୍ଡ କରିଛନ୍ତି। ଉଭୟ ଟି-୨୦ ଓ ଏକଦିବସୀୟ ମ୍ୟାଚ୍‌ରେ ତାଙ୍କର ବ୍ୟାଟିଂ ଆଭରେଜ ମଧ୍ୟ ଭଲ ରହିଛି । ଏକଦିବସୀୟ ମ୍ୟାଚରେ ରନ ଚେଜ କରିବାରେ କୋହଲି ଅଗ୍ରଣୀ ଅଟନ୍ତି । କ୍ରିକେଟର ସବୁ ଫର୍ମାଟ୍‌ରେ ସେ ୭୧ଟି ଶତକ ହାସଲ କରି ବିଶ୍ଵରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

ଦଳ ନେତୃତ୍ୱର ଚାପ ତାଙ୍କ ଉପରେ ଅଧିକ ରହୁଥିବାରୁ ଅଧିନାୟକତ୍ଵରୁ ଓହରି ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଯାହାଫଳରେ ସେ ଅଧିକ ଆକ୍ରମଣାତ୍ମକ ହୋଇ ଖେଳୁଛନ୍ତି  ଯାହାର ଦୃଷ୍ଟାନ୍ତ ଏବେ ଚାଲୁଥିବା ଟି -୨୦  ବିଶ୍ଵକପରେ ଦେଖିବାକୁ ମିଳୁଛି । କ୍ରିକେଟ ଉପରେ ତାଙ୍କର ଆଧିପତ୍ୟକୁ ଦେଖି ସାମାଜିକ ଗଣମାଧ୍ୟମରେ ତାଙ୍କୁ କିଙ୍ଗ୍‌ କୋହଲିର ଆଖ୍ୟା ଦିଆଯାଇଛି।

କ୍ୟାରିୟରର ଶିଖରରେ ପହଞ୍ଚିସାରିଥିଲେ ବି ନିଜ ସମର୍ଥକଙ୍କ ସହିତ ତାଙ୍କର ଭାବ ବିନିମୟ ସେହି ପୁରୁଣା କୋହଲିଙ୍କ ଭଳି ରହିଛି। ସେ କେବଳ ତାଙ୍କ ଖେଳ ପାଇଁ ଉଚ୍ଚ ସ୍ଥାନରେ ନୁହେଁ  ବରଂ ପ୍ରଶଂସକଙ୍କ ସହିତ ତାଙ୍କର ବ୍ୟବହାର ଓ ଯୋଗୋଯୋଗ ହିଁ ତାଙ୍କୁ ଏତେ ବାଟ ଆଣିପାରିଛି।

ଏବେ କିଛି ମାସ ପୂର୍ବରୁ ତାଙ୍କର ପ୍ରଦର୍ଶନ ଭଲ ରହିନଥିବାରୁ ଭାରତକୁ ବହୁତ କ୍ଷତି ସହିବାକୁ ପଡିଥିଲା। ଯାହାଫଳରେ ୨୦୨୧ ଟି-୨୦ ବିଶ୍ଵକପ ଓ ୨୦୨୨ର ଏସିଆ କପରେ ଭାରତ ଆଖିଦୃଶିୟା ପ୍ରଦର୍ଶନ କରିପାରିନଥିଲା କିନ୍ତୁ ଏବେ ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ଵକପରେ ସେ ଭଲ ପ୍ରଦର୍ଶନ କରି ନିଜ ପୁରୁଣା ଫର୍ମକୁ ଫେରିଛନ୍ତି।

Tags: #ViratKohli #ICC #PlayerOf The Month #Price

Comment