ଓଡ଼ିଶାଲାଇଭ୍ ବ୍ୟୁରୋ

“ମାଇଚିଆ, ଛକା – ସାନବେଳୁ ଏମିତି ଟାହିଟାପରା ମୁଁ ଶୁଣି ଆସୁଛି। କୌଣସି ସଭା ସମିତି ବା ଉତ୍ସବକୁ ଗଲେ ଲୋକମାନେ ମୋତେ ଭିନ୍ନ ଏକ ଦୃଷ୍ଟିରେ ଦେଖୁଥିଲେ। ଗୋଡ଼ଠୁ ମୁଣ୍ଡ ଯାଏଁ ଏମିତି ଦେଖୁଥିଲେ ଯେମିତି ମୁଁ ଚିଡ଼ିଆଖାନାର ଜନ୍ତୁଟିଏ। ପ୍ରଥମେ ମୋତେ ଖୁବ କଷ୍ଟ ଲାଗୁଥିଲା, କିନ୍ତୁ ଧିରେ ଧିରେ ଏସବୁ ଦେହସୁହା ହୋଇଗଲାଣି। ଏବେ ମୁଁ ମୋ ସମାଜ ପାଇଁ କାମ କରୁଛି। ନିଜର ପରିଚୟକୁ ନେଇ ମୋର କୌଣସି ସଙ୍କୋଚ ନାହିଁ” କହନ୍ତି କିନ୍ନର ଆଇଶା ପଣ୍ଡା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋର ଇଚ୍ଛା ଥିଲା ମୁଁ ପାଠ ପଢ଼ି ଭଲ ଚାକିରିଟିଏ କରିବି। ନିଜେ ବଞ୍ଚିବା ସହ କିନ୍ନର ସମାଜ ପାଇଁ କିଛି କରି ଉଦାହରଣ ପାଲଟିବି। ଆଜିର ଯୁଗରେ ମହିଳାମାନେ ଯେମିତି ସବୁ କ୍ଷେତ୍ରରେ ସଫଳ ହେଉଛନ୍ତି, ମୁଁ ଚାହେଁ କିନ୍ନରମାନେ ମଧ୍ୟ ନିଜ ଗୋଡ଼ରେ ଠିଆ ହୋଇ ସମାଜକୁ ଦେଖାଇ ଦିଅନ୍ତୁ ଯେ, ସେମାନେ ବି କାହାଠୁ କମ୍ ନୁହଁନ୍ତି। ଯାହା ଫଳରେ କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବ।”

ଖୁବ ସଂଘର୍ଷ କରି ଆଇଶା ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି। ବାପା ମାଆଙ୍କ ସହଯୋଗରେ ସେ ଭଲ ପାଠପଢ଼ି ଚାକିରି କରିବାର ସ୍ଵପ୍ନ ପୂରଣ କରିଛନ୍ତି। ଓଡ଼ିଶା ସରକାରଙ୍କ ‘ଜଳ ହିଁ ଜୀବନ’ ଯୋଜନା ଏବଂ ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟରରେ ଆଇଶା ଚାକିରି କରନ୍ତି। ଏହାଛଡ଼ା ମଡେଲିଂରେ ମଧ୍ୟ ଅଇଶା ଖୁବ ସକ୍ରିୟ।

“ମୋତେ ଯେତେବଳେ କେହି ମଡେଲ୍ ବା ସମାଜ ସେବୀ ଭାବରେ ସମ୍ବୋଧନ କରନ୍ତି ଖୁବ ଖୁସି ଲାଗେ। ଏ ପରିଚୟକୁ ହାସଲ କରିବା ପାଇଁ ଖୁବ ସଂଘର୍ଷ କରିଛି” କହନ୍ତି ଆଇଶା ପଣ୍ଡା।

ଓଡ଼ିଶାଲାଇଭ୍ ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ କିନ୍ନର ଆଇଶା ପଣ୍ଡାଙ୍କ ସଂଘର୍ଷର ପୂରା କାହାଣୀ।…

Tags: #KinnarAyeshaPanda #Transgender #LifeStory #Struggle #OdishaLive

Comment