ଓଡ଼ିଶାଲାଇଭ୍ ବ୍ୟୁରୋ

  • ମାଲକାନଗିରି ସବୁବେଳେ ମୋ ପାଇଁ ସ୍ଵତନ୍ତ୍ର – ମୁଖ୍ୟମନ୍ତ୍ରୀ
  • “ଜିଲ୍ଲାର ସାମାଜିକ ଓ ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ”

ମାଲକାନଗିରି ଜିଲ୍ଲା ପାଇଁ ମଙ୍ଗଳବାର ଦିନ ୨୫ କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହିସବୁ ପ୍ରକଳ୍ପ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ ଏହି ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ।

ଭର୍ଚୁଆଲ ମୋଡରେ ଏହି ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ମାଲକାନଗିରି ସବୁବେଳେ ମୋ ପାଇଁ ସ୍ଵତନ୍ତ୍ର ହୋଇରହିଛି। ମାଲକାନଗିରିର ବିକାଶ ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ମୋର ପୂର୍ଣ୍ଣ ବିଶ୍ଵାସ ମାଲକାନଗିରିର ପରିଚୟ ଆଗକୁ ଆହୁରି ଉଜ୍ଜ୍ଵଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ଼ କରିବ।”

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି – ଅନ୍ଵେଷା କାର୍ଯ୍ୟକ୍ରମରେ ଶିକ୍ଷାଗ୍ରହଣ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କ ପାଇଁ ଦୁଇଟି ହଷ୍ଟେଲ। ଏଥିରେ ୬୦୦ ପୁଅ ଓ ୬୦୦ ଝିଅଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ମୋଟୁ ଟ୍ରାଇ ଜଙ୍କସଠାରେ ବିଜୁ ପଟ୍ଟନାୟକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ। ଏହା ମାଲକାନଗିରି ଜିଲ୍ଲା ସହିତ ଛତିଶଗଡ଼ ଓ ଅନ୍ଧ୍ରପ୍ରଦେଶକୁ ଗମନାଗମନ ସୁଗମ କରିଛି। ଏହା ସହିତ ମାଲକାନଗିରି ବଣ୍ଡା ଅଞ୍ଚଳକୁ ଯୋଡୁଥିବା ଏକ ଉଚ୍ଚସ୍ତରୀୟ ସେତୁ ଓ ବାଲିମେଳା ଠାରେ ତମସା ନଦୀ ଉପରେ ବିଜୁ ସେତୁ, କ୍ରୀଡ଼ାର ବିକାଶ ପାଇଁ ଏକ ଜୁଡୋ ଏକାଡେମୀ ଓ ପିଲାମାନଙ୍କ ପାଇଁ ଏକ ସ୍ଵଧାର ଗୃହ।

ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, “ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡ଼ି ହୋଇରହିଛନ୍ତି। ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି। ଜିଲ୍ଲାରେ ଶିକ୍ଷା ଓ ସଚେତନତାର ପ୍ରସାର ଘଟିଛି। ଯୋଗାଯୋଗରେ ଉନ୍ନତି ଆସିଛି। ବିଜୁ ସ୍ଵସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା।  ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତିର ମା’ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି।”

ବଣ୍ଡା ଘାଟିର ଝିଅ କରମା ମୁଦୁଲି ଭୁବନେଶ୍ଵରର ସବୁଠାରୁ ଭଲ ସରକାରୀ ମହିଳା ୟୁନିଭର୍ସିଟିରେ ପାଠ ପଢୁଥିବାର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିକ୍ଷା ହିଁ ସୁଯୋଗ ଆଣିଥାଏ ଓ  ଶିକ୍ଷା ହିଁ ଏ ରୂପାନ୍ତର ଆଣିଛି। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ି ନିଜ ପାଇଁ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଚିତ୍ରକୁଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗଲୁ ପ୍ରମୁଖ ବକ୍ତବ୍ୟ ରଖି ମାଲକାନଗିରି ଜିଲ୍ଲାରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵର ଉଚ୍ଚପ୍ରଶଂସା କରିଥିଲେ।

୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Tags: #CMOdisha #NaveenPatnaik #Malkangiri #ProjectsInauguration

Comment