ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଫା ବିଶ୍ଵକପ ୨୦୨୨ରେ ମଙ୍ଗଳବାର ୪ଟି ମ୍ୟାଚ୍ ଖେଳାଯାଇଛି। ପ୍ରଥମ ମ୍ୟାଚରେ ସାଉଦି ଆରବ ୨-୧ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଦ୍ଵିତୀୟ ମ୍ୟାଚଟି ଡେନମାର୍କ ଓ ଟ୍ୟୁନେସିଆ ମଧ୍ୟରେ ବିନା ଗୋଲରେ ଡ୍ର ରହିଛି। ସେହିପରି ମେକ୍ସିକୋ ଓ ପୋଲାଣ୍ଡ ମଧ୍ୟରେ ତୃତୀୟ ମ୍ୟାଚଟି ମଧ୍ୟ  ଗୋଲଶୂନ୍ୟ ହୋଇ ଡ୍ର ରହିଛି। ଶେଷ ମ୍ୟାଚରେ ଫ୍ରାନ୍ସ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

ପ୍ରଥମ ମ୍ୟାଚ୍ ଗ୍ରୁପ୍–ସିରେ ଆର୍ଜେଣ୍ଟିନା ଓ ସାଉଦି ଆରବ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯାଇଥିଲା। ଦୁଇଥର ବିଶ୍ଵକପ ବିଜେତା ତଥା ତରକା ଖେଳାଳି ଲିଅନେଲ ମେସିଙ୍କ ଦଳକୁ ସାଉଦି ଆରବ ଆଶ୍ଚର୍ଯ୍ୟଜନକ ଭାବେ ୨-୧ ଗୋଲରେ  ପରାସ୍ତ କରିଛି। ମ୍ୟାଚରେ ଆର୍ଜେଣ୍ଟିନା ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚର ୧୦ତମ ମିନିଟର ଲିଅନେଲ ମେସି ପେନାଲ୍ଟିରୁ ଏକ ଗୋଲ କରିଥିଲେ।  ମ୍ୟାଚର ପ୍ରଥମ ଭାଗରେ ଆର୍ଜେଣ୍ଟିନା ଆଧିପତ୍ୟ ବଜାୟ ରଖି ୧-୦  ଗୋଲରେ  ଆଗୁଆ ରହିଥିଲା।  ମ୍ୟାଚର ଦ୍ଵିତୀୟ ଭାଗରେ ସାଉଦି ଆରବ ଉତ୍ତମ ଖେଳ ପ୍ରଦର୍ଶନ ଆରମ୍ଭ କରିଥିଲା ସାଉଦି ଆରବ ପକ୍ଷରୁ ଅଲ୍ ସେହରି ୪୮ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ୫୩ ତମ ମିନିଟରେ ଅଲ୍ ଦାଓସାରି ସାଉଦି ଆରବ ପକ୍ଷରୁ ଆଉ ଏକ ଗୋଲ ଦେଇଥିଲେ। ପରେ ଆର୍ଜେଣ୍ଟିନା  ଆଉ କିଛି କରିସ୍ମା କରିପାରିନଥିଲା। ବିଶ୍ଵକପର ଏହି ପ୍ରଥମ ବିଜୟରେ ଉତ୍ସାହିତ ସାଉଦି ଆରବ ସରକାର ବୁଧବାର ନିଜ ଦେଶରେ ଜାତୀୟ ଅବକାଶ ଘୋଷଣା କରିଛନ୍ତି।

ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍–ଡିରେ ଡେନମାର୍କ ଓ ଟ୍ୟୁନେସିଆ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଉଭୟ ଦଳ କୌଣସି ଗୋଲ କରିପାରିନଥିଲେ । ଫଳରେ ମ୍ୟାଚଟି ଡ୍ର ରହିଥିଲା। ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ। ମ୍ୟାଚ ଶେଷ ଭାଗରେ ଡେନମାର୍କର ଖେଳଳି କ୍ରିଷ୍ଟାନ ଏରିକ୍ସନଙ୍କ ଏକ ହ୍ୟାଣ୍ଡବଲ ଚ୍ୟାଲେଞ୍ଜ ଭାର୍ (ଭିଡିଓ ଅଶିଷ୍ଟାଣ୍ଟ ରେଫେରି) ମାଧ୍ୟମରେ ନାକଚ ହୋଇଯିବାରୁ  ଟ୍ୟୁନେସିଆକୁ ମ୍ୟାଚଟି ଡ୍ର ରହିଥିଲେ ମଧ୍ୟ ୧ ପଏଣ୍ଟ ମିଳିଥିଲା।

ସେହିପରି ରାତି ରାତି ୯ଟା ୩୦ ମିନିଟରେ ଗ୍ରୁପ୍–ସିରେ ମେକ୍ସିକୋ ଓ ପୋଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ଗୋଲ ଶୂନ୍ୟରେ ଡ୍ର ରହିଛି । ଏହି ମ୍ୟାଚରେ ପୋଲାଣ୍ଡ ପକ୍ଷରୁ ଅନେକ ଗୋଲ କରିବାର ଉଦ୍ୟମ ହୋଇଥିଲେ ମଧ୍ୟ ମେକ୍ସିକୋ  ଗୋଲକିପର ଗୁଲେର୍ମୋ ଓଚୋଆ ଏଗୁଡ଼ିକୁ ରୋକିଦେଇଥିଲେ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମ୍ୟାଚରେ ଉଭୟ ଦଳ ବହୁତ ଭଲ ଖେଳି ଶେଷ ପର୍ଯ୍ୟନ୍ତ ଗୋଲ କରିବାରେ ବିଫଳ ହୋଇଥିଲେ।

ରାତି ୧୨ଟା ୩୦ ମିନିଟରେ ଗ୍ରୁପ୍–ଡିରେ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ  ଫ୍ରାନ୍ସ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ମଙ୍ଗଳବାର ଦୁଇଟି ଅମୀମାଂସୀତ ମ୍ୟାଚ୍ ପରେ ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଖେଳା ଆରମ୍ଭରୁ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାରକରି ୯ ତମ ମିନିଟରେ ଏକ ଗୋଲ ଦେଇଥିଲା କ୍ରେଗ୍ ଗୁଡୱିନ ଏହି ଗୋଲ କରିଥିଲେ। ପରେ ଫ୍ରାନ୍ସ ଆକ୍ରମଣାତ୍ମକ  ଖେଳ ଆରମ୍ଭ କରିଥିଲା ଶେଷରେ ୪-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା। ଫ୍ରାନ୍ସ ପକ୍ଷରୁ ଓଲିଭର ଜିରୁଡ ୨ଟି ଗୋଲ ଦେଇଥିବା ବେଳେ କିଲିୟନ ଏମବପେ ଓ ଆଦ୍ରିଏନ ରାବିଆତ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

ବୁଧବାର ଫିଫା ବିଶ୍ଵକପରେ ୪ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍–ଏଫ୍ ରେ ମରୋକ୍କୋ ଓ କ୍ରୋଏସିଆ ମଧ୍ୟରେ ଦିନ ୩ଟା ୩୦ ମିନିଟରେ ଖେଳାଯିବ। ଏହାପରେ ଦ୍ଵିତୀୟ ମ୍ୟାଚ୍ ଗ୍ରୁପ୍–ଇ ରେ ଜର୍ମାନୀ ଓ ଜାପାନ ମଧ୍ୟରେ ସନ୍ଧ୍ୟା ୬ଟା ୩୦ ମିନିଟରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚଟି ଗ୍ରୁପ୍–ଇ ରେ ସ୍ପେନ ଓ କୋଷ୍ଟାରିକା ମଧ୍ୟରେ ରାତି ୯ଟା ୩୦ ମିନିଟରେ ଏବଂ ଚତୁର୍ଥ ମ୍ୟାଚ ଗ୍ରୁପ୍–ଏଫ୍ ରେ ବେଲଜିୟମ ଓ କାନାଡା ମଧ୍ୟରେ ରାତି ୧୨ଟା ୩୦ ମିନିଟରେ ଖେଳାଯିବ।

Tags: #FIFAWorldCup2022 #Qatar #SaudiArab #France #Football #FIFA #OdishaLive #Sports

LEAVE A REPLY

Please enter your comment!
Please enter your name here