ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ଗୁରୁବାରଠାରୁ ମିଳିବ ଟିକେଟ। ଦିନ ୧ଟା ପରେ ଅନଲାଇନରେ ହକି ପ୍ରେମୀ କିଣି ପାରିବେ ଟିକେଟ। ପେଟିଏମ ଇନସାଇଡର ସାଇଟରୁ ଏହି ଟିକେଟ କ୍ରୟ କରିହେବ।

ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ କ୍ରୟ କରିପାରିବେ। ସ୍ଥାନ ଅନୁସାରେ ଏହି ଟିକେଟର ମୂଲ୍ୟ ଭିନ୍ନ ଭିନ୍ନ ଧାର୍ଯ୍ୟ କରାଯାଇଛି। ଭାରତ ମ୍ୟାଚ ପାଇଁ ଓ୍ଵେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦ ଟଙ୍କା ରହିଥିବାବେଳେ ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ନର୍ଥ ଷ୍ଟାଣ୍ଡ ଏବଂ ସାଉଥ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ଦର ଧାର୍ଯ୍ୟ କରାଯାଇଛି।

ଅନ୍ୟ ମ୍ୟାଚଗୁଡ଼ିକ ପାଇଁ ଟିକେଟ ଓ୍ଵେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦ ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଲେଖାଏଁ ରହିଛି।

ଆସନ୍ତା ଜାନୁଆରି ମାସରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ-୨୦୨୩ ପାଇଁ ବୁଧବାର ଦିନ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ଅଧ୍ୟକ୍ଷ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏହି ଟିକେଟ ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ସାରା ବିଶ୍ଵ ପୁରୁଷ ହକି ବିଶ୍ଵକପ୍ ଦେଖିବା ପାଇଁ ଅପେକ୍ଷାରେ ରହିଥିବା କହିଛନ୍ତି।

ଆସନ୍ତା ଜାନୁଆରି ୧୩ ତାରିଖରୁ ଓଡ଼ିଶାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ୱକପ୍-୨୦୨୩। ହକିର ଏହି ମହାକୁମ୍ଭରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବ। ଜାନୁଆରି ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଓପନିଂ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ ଦକ୍ଷିଣ ଆଫ୍ରିକା ଟିମ୍। ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୨୪ଟି ଏବଂ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ରେ ୨୦ଟି ମ୍ୟାଚ୍ ଖେଳାଯିବ।

Tags: #Hockey #HockeyIndia #Sports #MensHockeyWorldCup2023 #Ticket #OnlineTicket

Comment