ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ବୁଧବାର ଦିନ ଖାରଜ କରିଦେଇଛନ୍ତି। ଅନ୍ୟ ପକ୍ଷରେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ଶ୍ରଦ୍ଧାଞ୍ଜଳିଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି।

ଗିରଫ ଭୟରେ ଆଗୁଆ ଜାମିନ ପାଇଁ ଆଶା ରଖିଥିବା ଶ୍ରଦ୍ଧାଞ୍ଜଳିଙ୍କୁ ନିରାଶ ହେବାକୁ ପଡ଼ିଛି। ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ କାରବାରକୁ ନେଇ ଦୁଇ ଦୁଇ ଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଇଡିର ବାରମ୍ବାର ନୋଟିସ ପରେ ମଧ୍ୟ ହାଜର ହୋଇନଥିଲେ ଶ୍ରଦ୍ଧାଞ୍ଜଳି।

ମଙ୍ଗଳବାର ଦିନ ମନିଣ୍ଡରିଂ ଆକ୍ଟ ବଳରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ଇଡି। ଇଡିର ବାରମ୍ବାର ନୋଟିସ ପରେ ମଧ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ହାଜର ହୋଇନଥିବା ଇଡି କୋର୍ଟଙ୍କୁ ଜଣାଇଥିଲା।

ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଟଙ୍କା ମାଗିବା ଘଟଣାରେ ନଭେମ୍ବର ୨୩ ତାରିଖରେ ଶ୍ରଦ୍ଧାଞ୍ଜଳି ବେହେରା ଭୁବନେଶ୍ୱର ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଶ୍ରଦ୍ଧାଞ୍ଜଳିଙ୍କ ଜରିଆରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି ଆପତ୍ତି ଜନକ ଅଭିଯୋଗ ଆଣିବା ପରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା।

ଅଶ୍ଳୀଳ ଫଟୋ ଓ ଭିଡିଓ ଉତ୍ତୋନ କରି ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ଘଟଣା ପରବର୍ତ୍ତୀ ସମୟରେ ଭିନ୍ନ ମୋଡ଼ ନେଇଥିଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଅର୍ଚ୍ଚନା ନାଗଙ୍କ ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ୍। ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅର୍ଚ୍ଚନା ନାଗ।

Tags: #ArchanaNaagCase #ED #ShradhanjaliBehera #Blackmail #AkhayaParija

LEAVE A REPLY

Please enter your comment!
Please enter your name here