ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ତ୍ରୀ ସହ ଝଗଡ଼ା ହେବାରୁ ୨ବର୍ଷୀୟ ପୁଅକୁ ୩ମହଲା ଉପରୁ ଫିଙ୍ଗିବା ସହ ନିଜେ ଡେଇଁ ପଡ଼ିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଗୁରୁତର ଆହତ ହୋଇଥିବା ଭଭୟ ବାପା-ପୁଅଙ୍କୁ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ରାତିରେ ନୂଆଦିଲ୍ଲୀର କଲକାଜୀସ୍ଥିତ ଏକ ବସ୍ତିରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି।

ପାରିବାରିକ ବିବାଦ କାରଣରୁ ମନ ସିଂ ଏବଂ ତାଙ୍କ ପତ୍ନୀ ପୂଜା ଗତ କିଛି ମାସ ଧରି ଅଲଗା ରହୁଥିଲେ। ସ୍ଵାମୀଙ୍କ ସହ ଝଗଡ଼ା ହେବାରୁ ପୂଜା ନିଜ ଦୁଇ ପିଲାଙ୍କ ସହ କଲକାଜୀରେ ରଖୁଥିବା ନିଜ ଜେଜେମା’ଙ୍କ ଘରେ ରହୁଥିଲେ। ଶୁକ୍ରବାର ରାତିରେ ମନ ସିଂ, ପତ୍ନୀ ପୂଜାଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ରାଗିଯାଇ ମନ ସିଂ ନିଜ ପୁଅକୁ ବାଲକୋନୀକୁ ନେଇ ୨୧ଫୁଟ ତଳକୁ ଫିଙ୍ଗି ଦେଇଥିଲେ। ଏହା ପରେ ସେ ନିଜେ ଡେଇଁପଡ଼ିଥିଲେ।

ପୂଜାଙ୍କ ଜେଜେମା’ଙ୍କ ଅଭିଯୋଗ ଅନୁଯାୟୀ ମନ ସିଂହ ନିଶାଗ୍ରସ୍ତ ଥିବାରୁ ଏଭଳି କରିଥିଲେ। ଏହି ଘଟଣା ପରେ ମନ ସିଂଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ବୋଲି ପୋଲିସ ସୂଚନା ଦେଇଛି। ଏମ୍ସରେ ଦୁହିଁଙ୍କ ଚିକିତ୍ସା ଚାଲିଥିବା ବେଳେ ମନ ସିଂ ସୁସ୍ଥ ହେବା ପରେ ତାଙ୍କୁ ହେପାଜତକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Tags: #Delhi #HusbandWifeFight #FallFromBalcony #2YearOldBoy #India

Comment