ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଭୁବନେଶ୍ଵର ଓ ରାଉରକେଲାରେ ଖେଳାଯିବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ଵକପ୍‌ ପାଇଁ ଅଫଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ଵରରେ ହେବାକୁ ଥିବା ମ୍ୟାଚ୍‌ ପାଇଁ କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍‌ ସମ୍ମୁଖ ରିଜର୍ଭ ପୁଲିସ୍‌ ଲାଇନ୍‌ ପଡ଼ିଆରେ ଏବଂ ରାଉରକେଲାର ମ୍ୟାଚଗୁଡ଼ିକ ପାଇଁ ବୀର୍ସା ମୁଣ୍ଡା ଷ୍ଟାଡିୟମର ୬ ନମ୍ବର ଓ ୨ ନମ୍ବର ଗେଟ୍‌ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ଏହି କାଉଣ୍ଟରଗୁଡ଼ିକ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ। ଏଥିସହିତ ଯେଉଁମାନେ ପୂର୍ବରୁ ଅନଲାଇନ୍‌ରେ ଟିକେଟ କିଣିଛନ୍ତି, ସେମାନେ ଆବଶ୍ୟକୀୟ ପ୍ରମାଣ ଦେଖାଇ ଉକ୍ତ କାଉଣ୍ଟରରୁ ଟିକେଟ ନେଇପାରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୩ ବିଶ୍ଵକପ ସଂସ୍କରଣରେ ଭାରତ ଖେଳୁଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ୱେଷ୍ଟଷ୍ଟାଣ୍ଡର ମୂଲ୍ୟ ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୪୦୦ ଟଙ୍କା ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଅଣଭାରତୀୟ ମ୍ୟାଚ୍‌ଗୁଡ଼ିକରେ ୱେଷ୍ଟ ଷ୍ଟାଣ୍ଡର ଟିକେଟ ମୂଲ୍ୟ ସମାନ ରଖାଯାଇଥିବାବେଳେ,ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୨୦୦ ଟଙ୍କା ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ରଖାଯାଇଛି।

କ୍ଵାଲିଫାୟର୍‌ ପର୍ଯ୍ୟାୟଠାରୁ ଫାଇନାଲ୍‌ ପର୍ଯ୍ୟନ୍ତ ସମସ୍ତ ନକ୍ଆଉଟ୍‌ ମ୍ୟାଚ୍‌ ଭୁବନେଶ୍ଵରରେ ଖେଳାଯିବ। ଏହି ପର୍ଯ୍ୟାୟରେ ମଧ୍ୟ କଳିଙ୍ଗ ଷ୍ଟାଡିୟମର ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ସମାନ ରହିଥିଲା ବେଳେ ଇଷ୍ଟ ଷ୍ଟାଣ୍ଡ ୪୦୦ ଟଙ୍କା, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି।

ଅପରପକ୍ଷେ କ୍ଲାସିଫିକେସନ୍‌ ରାଉଣ୍ଡ ଅର୍ଥାତ୍‌ ନବମରୁ ୧୬ତମ ସ୍ଥାନ ପାଇଁ ହେବାକୁଥିବା ମ୍ୟାଚଗୁଡ଼ିକ ରାଉରକେଲାରେ ଖେଳାଯିବ। ଏହି ପର୍ଯ୍ୟାୟର ଟିକେଟ ମୂଲ୍ୟ ୱେଷ୍ଟ ଷ୍ଟାଣ୍ଡ ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୨୦୦ ଟଙ୍କା, ନର୍ଥ ଓ ସାଉଥ ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ଲେଖାଏଁ ନିର୍ଧାରିତ ହୋଇଛି। ଜଣେ ଦର୍ଶକ ଗୋଟିଏ ଦିନ ପାଇଁ ଏହି ଟିକେଟ କିଣିବ। ଉକ୍ତ ଦିନ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ୍‌ ଏହି ଟିକେଟ୍‌ ଜରିଆରେ ଦେଖିହେବ। ବିଶ୍ଵକପରେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୧୫ହଜାର ରହିଥିବାବେଳେ, ରାଉଲକେଲାର ବୀର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ୨୦ହଜାର ଦର୍ଶକ ମ୍ୟାଚ୍‌ ଦେଖିପାରିବେ।

୨୦୨୩ ଜାନୁଆରି ୧୩ ତାରିଖରୁ ଆରମ୍ଭ ହେଉଥିବା ହକି ବିଶ୍ଵକପରେ ୧୬ ଦଳଙ୍କୁ ନେଇ ମୋଟ ୪୪ ମ୍ୟାଚ୍‌ ଖେଳାଯିବ। ସେଥିରୁ ରାଉରକେଲାରେ ୨୦ ଏବଂ ଭୁବନେଶ୍ଵରରେ ୨୪ ମ୍ୟାଚ୍‌ ଅନୁଷ୍ଠିତ ହେବ।

Tags: #MensHockeyWorldCup2023 #Tickets #OfflineTicket #Hockey #HockeyIndia #Sports

 

Comment