ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫,୬୦୦ ଏସଏଚଜି ଗ୍ରୁପକୁ ୨୨୦ କୋଟି ଟଙ୍କାର ସହାୟତା
  • ଓ୍ଵା ପଞ୍ଚାୟତ, ଓ୍ଵା ପ୍ରଡକ୍ଟ’ର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ
  • ଶିଳ୍ପ ବିକାଶରେ ମା’ମାନେ ନୂଆ ଇତିହାସ ସୃଷ୍ଟି କରିବେ – ମୁଖ୍ୟମନ୍ତ୍ରୀ

ଏବେ ବିକାଶ ପଥରେ ଆଗେଇବ ବାଲେଶ୍ଵର। ଜିଲ୍ଲାର ବିକାଶ ଧାରାକୁ ଆଗେଇ ନେବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧,୮୦୬ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧,୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ସୋମନାଥପୁରଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫,୬୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ମିଶନ ଶକ୍ତି ମା’ମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିବା ସହ ଏହି ଆନ୍ଦୋଳନକୁ ଏକ ନୂଆ ସୋପାନକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ୬୦ ହଜାର ମା’ଙ୍କୁ ଏହି ସହାୟତା ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

‘ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ’ ଉପରେ ଗୁରୁତ୍ଵାରୋପ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ପ୍ରତ୍ୟେକ ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ, ତେବେ ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବ। ପ୍ରତ୍ୟେକ ପଞ୍ଚାୟତର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ। ମା’ମାନେ ଓଡ଼ିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ।”

ଆଗାମୀ ୫ ବର୍ଷ ମଧ୍ୟରେ ମା’ମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଲେଶ୍ଵର ହେଉଛି ଏକ ଆଗୁଆ ଜିଲ୍ଲା। ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି ଆଦି ସବୁ କ୍ଷେତ୍ରରେ ବାଲେଶ୍ଵର ଆଗରେ ରହିଛି। ଆଜିର କାର୍ଯ୍ୟକ୍ରମ ଜିଲ୍ଲାର ବିକାଶ ଧାରାକୁ ଆହୁରି ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଓ ବାଲେଶ୍ଵର ବିଧାୟକ ସ୍ଵରୂପ ଦାସ ପ୍ରମୁଖ ଯୋଗ ଦେଇ ମେଡିକାଲ କଲେଜଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ହେଉଛି ବୋଲି କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ଵାରା ମା’ମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #CMOdisha #NaveenPatnaik #Balesore #MissionShakti #Projects #OnePanchayatOneProduct

LEAVE A REPLY

Please enter your comment!
Please enter your name here