ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋଟପାଡ଼ ଅଞ୍ଚଳର ଏକ ଜଙ୍ଗଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଯୁବକ ଜଣଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ କୋରାପୁଟ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଧନୁର୍ଯ୍ୟୟ ସୌରା, ଧନୁର୍ଯ୍ୟୟ ବିନ୍ଧାଣୀ ଏବଂ ସେମାନଙ୍କର ଅନ୍ୟ ଜଣେ ସହଯୋଗୀ। ମୃତ ଯୁବକ ହେଲେ ଉତ୍ତରପ୍ରଦେଶର ଅମନ ଜସଓ୍ଵାଲ।

୧୦ ହଜାର ଟଙ୍କାକୁ କେନ୍ଦ୍ର କରି ଧନୁର୍ଯ୍ୟୟ ସୌରା, ଧନୁର୍ଯ୍ୟୟ ବିନ୍ଧାଣୀ ଏବଂ ତାଙ୍କର ଜଣେ ସହଯୋଗୀ ମିଶି ଅମନଙ୍କୁ ହତ୍ୟା କରିବା ପରେ କୋଟପାଡ଼ ଜଙ୍ଗଲକୁ ଫିଙ୍ଗି ଦେଇଥିଲେ। ଗତ ସେପ୍ଟେମ୍ବର ୯ ତାରିଖରେ ଅମନଙ୍କ ଗଳିତ ଶବ ଉଦ୍ଧାର କରିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ଶୁକ୍ରବାର ଦିନ ତିନିଜଣଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏଏସପି ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି।

ପୋଲିସର କହିବା ଅନୁସାରେ ଉତ୍ତରପ୍ରଦେଶର ଅମନ ଜସଓ୍ଵାଲ ଓଡ଼ିଶାକୁ ତାଙ୍କର କିଛି ସାଙ୍ଗଙ୍କ ସହ ଗଞ୍ଜେଇ ବ୍ୟବସାୟ କରିବାକୁ ଆସିଥିଲେ। ଓଡ଼ିଶାରୁ ଗଞ୍ଜେଇ ଚାଲାଣ ପାଇଁ ଅମନ ଧନୁର୍ଯ୍ୟୟ ସୌରାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ସାଙ୍ଗମାନେ ଓଡ଼ିଶାରୁ ଚାଲିଯିବା ପରେ ଅମନ ଏକା ଓଡ଼ିଶାରେ ରହିଥିଲେ। ଟଙ୍କା ନେବା ପରେ ଧନୁର୍ଯ୍ୟୟ ଅମନଙ୍କ ସହ ଯୋଗାଯୋଗ ବନ୍ଦ କରି ଦେଇଥିଲେ।

ପରେ ଧନୁର୍ଯ୍ୟୟଙ୍କୁ ଭେଟି ଟଙ୍କା ଫେରାସ୍ତ ନେବାକୁ ଅଡ଼ି ବସିଥିଲେ ଅମନ। ଟଙ୍କା ଫେରାଇବେ ନାହିଁ ବୋଲି ଧନୁର୍ଯ୍ୟୟ ମନା କରିଦେଇଥିଲେ। ପରେ ଅମନଙ୍କୁ ଯୋଜନା କରି ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଶବ ଫିଙ୍ଗି ଦେଇଥିବା ଏଏସପି କହିଛନ୍ତି।

Tags: #Koraput #Kotapad #MurderCase #Arrest #KoraputPolice

Comment