ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ୪୬ ଦିନ ଧରି ଚାଲିଥିବା ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଆସନ୍ତା ଫେବ୍ରୁଆରି ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମଙ୍ଗଳବାର ଦିନ ୮ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଅଙ୍ଗନବାଡ଼ି କର୍ମୀମାନେ ଚେତାବନୀ ଦେଇଛନ୍ତି।

ଦୀର୍ଘ ୪୬ ଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିଠାରେ ୮ ଦଫା ଦାବି ନେଇ ଧାରଣାରେ ବସିଥିଲେ ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନେ। ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଏକାଠି ହୋଇ ଲୋୟର ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଯାଇଥିଲେ। ନିଜର ଦାବି ଜଣାଇବାକୁ ଅଙ୍ଗନବାଡ଼ି କର୍ମୀମାନେ ନବୀନ ନିବାସ ଅଭିମୁଖେ ବାହାରିବା ସମୟରେ ରାଜମହଲଠାରେ ସେମାନଙ୍କୁ ପୋଲିସ ଅଟକାଇଥିଲା।

ପରେ ଅଙ୍ଗନବାଡ଼ିର ୮ ଜଣିଆ ପ୍ରତିନିଧି ଦଳ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନିଜର ଦାବି ସମ୍ପର୍କରେ ଜଣାଇଥିଲେ। ଆସନ୍ତା ଫେବ୍ରୁଆରି ଦ୍ଵିତୀୟ ସପ୍ତାହରେ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାକୁ ପରେ ଆଜି ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଦାବି ପୂଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଅଙ୍ଗନବାଡ଼ି କର୍ମୀମାନେ କହିଛନ୍ତି।

Tags: #Anganwadi #AnganwadiProtest #AnganwadiKarmi #Protest #Odisha

Comment