ଓଡ଼ିଶାଲାଇଭ୍ ବ୍ୟୁରୋ

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ୩ ଜଣ। ଏମାନଙ୍କ ମଧ୍ୟରେ ରହିଛନ୍ତି ଅର୍ଚ୍ଚନା ନାଗଙ୍କ ଚାଟାର୍ଡ ଆକାଉଟାଣ୍ଟ ଏବଂ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ଵର ପାତ୍ରଙ୍କ ପତ୍ନୀ ଓ ଚାଟାର୍ଡ ଆକାଉଟାଣ୍ଟ। ଆର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟ ତଥା ଟାକ୍ସ ବାବଦରେ ଉଭୟଙ୍କ ଚାଟାର୍ଡ ଆକାଉଟାଣ୍ଟଙ୍କୁ ପଚରଉଚରା କରାଯିବାର ସୂଚନା ରହିଛି।

ବର୍ତ୍ତମାନ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଅର୍ଚ୍ଚନା ନାଗ ଏବଂ ଖାଗେଶ୍ଵର ଝାରପଡ଼ା ଜେଲରେ ଅଛନ୍ତି। ଖୁବ କମ ସମୟ ମଧ୍ୟରେ ଅର୍ଚ୍ଚନା ନାଗ ଏତେ ଟଙ୍କା କେମିତି ଏବଂ କାହାଠାରୁ ଆଣିଲେ ତା’ର ଖୋଳତାଡ଼ ଜାରି ରଖିଛି ଇଡି।

ଓଡ଼ିଆ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୋଧରେ ଅର୍ଚ୍ଚନା ନାଗଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଆପତ୍ତିଜନକ ଅଭିଯୋଗ ଆଣିବା ପରେ ଅକ୍ଷୟ ପରିଜା ଉଭୟ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ୩ କୋଟି ଟଙ୍କା ମାଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ ଅକ୍ଷୟ ପରିଜା। ଏହା ପରେ ଓଲଟ ପାଲଟ ହୋଇଯାଇଥିଲା ସବୁକିଛି। ପୋଲିସ ଏହି ମାମଲାର ତଦନ୍ତ କରୁକରୁ ଅନେକ ରହସ୍ୟ ପଦାକୁ ଆସିଥିଲା।

ଅର୍ଚ୍ଚନା ନାଗ ନିଜ ସହଯୋଗୀଙ୍କ ସହଯୋଗରେ ହନିଟ୍ରାପ କରି ଅନେକ ରାଜନେତା, ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରିବା ସହ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଖୋଳତାଡ଼ ସମୟରେ ଅର୍ଚ୍ଚନା ନାଗଙ୍କ ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଜଣାପଡ଼ିଥିଲା। ମନି ଲଣ୍ଡରିଂ ମାମଲାରେ ଖଗେଶ୍ଵର ପାତ୍ର, ଅର୍ଚ୍ଚନା ନାଗ ଏବଂ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ଗିରଫ କରିଥିବାବେଳେ ସମସ୍ତେ ଜେଲରେ ଅଛନ୍ତି। ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ୩ ଜଣଙ୍କଠାରୁ ଇଡି ଅନେକ ତଥ୍ୟା ସଂଗ୍ରହ କରିବାର ସମ୍ଭାବନା ରହିଛି।

ଅନ୍ୟ ପଟେ ଜଗବନ୍ଧୁ ଚାନ୍ଦ ଏବଂ ଖଗେଶ୍ଵର ପାତ୍ରଙ୍କ ଦସ୍ତଖତ ସଂଗ୍ରହ କରିବାକୁ ଝାରପଡ଼ା ଜେଲରେ ପହଞ୍ଚିଛି କମିଶନରେଟ ପୋଲିସ।

Tags: #ArchanaNaagBlackmail #ED #EnforcementDirectorate #JagabandhuChand #KhageswarPatra

Comment