ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ଦିନ ଧରି ନିଖୋଜ ରହିଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଶନିବାର ଦିନ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ଶେଷରେ ଆଜି ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନିଖୋଜ ଥିବା ମହିଳା କ୍ରିକେଟର ରାଜଶ୍ରୀଙ୍କର ବୋଲି କଟକ ମଙ୍ଗଳାବାଗ ଥାନା ପୋଲିସ ସ୍ପଷ୍ଟ କରିଛି। ରାଜଶ୍ରୀଙ୍କ ମୃତ୍ୟୁ ଖବର ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକେ।

ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ଘୋଷଣା କରାଯାଇଥିଲା ଯେଉଁଥିରୁ ବାଦ ପଡ଼ିଥିଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ। ଗତ ୧୧ ତାରିଖ ଦିନ ସମସ୍ତ ଖେଳାଳି ଟାଙ୍ଗୀ ସ୍ଥିତ ଏକ କଲେଜକୁ ଅଭ୍ୟାସ ପାଇଁ ଯାଇଥିଲେ। ରାଜଶ୍ରୀ ଘରକୁ ଯିବେ ବୋଲି ନିଜ କୋଚଙ୍କୁ ଜଣାଇଥିଲେ। ପରେ ରାଜଶ୍ରୀଙ୍କ ପରିବାର ଲୋକେ ତାଙ୍କ କୋଚଙ୍କୁ ଫୋନ କରି ରାଜଶ୍ରୀଙ୍କର ଖୋଜ ଖବର ମିଳୁନାହିଁ ବୋଲି କହିଥିଲେ।

ଏହା ପରେ ରାଜଶ୍ରୀଙ୍କ କୋଚ ପୁଷ୍କାଞ୍ଜଳି ବାନାର୍ଜୀ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଫୋନ କରିଥିଲେ ମଧ୍ୟ ରାଜଶ୍ରୀଙ୍କର ମୋବାଇଲ ସୁଇଚ ଅଫ ରହିଥିଲା। ଆଜି ପୋଲିସର ତଦନ୍ତ ବେଳେ ଓରନ୍ଦା ଜଙ୍ଗଲ ରାସ୍ତାରେ ରାଜଶ୍ରୀଙ୍କର ସ୍କୁଟି ଏବଂ ହେଲମେଟ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଜଙ୍ଗଲ ଭିତରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ମୃତ ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୂଆଁଗାଁରେ।

ପୁଡୁଚେରୀରେ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ବଜ୍ରକବାଟୀ ନିକଟରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଆସନ୍ତା ୧୫ ତାରିଖରେ ସମସ୍ତେ ପୁଡୁଚେରୀ ଯିବାର ଯୋଜନା ମଧ୍ୟ ଥିଲା। ଗତ ୧୦ ତାରିଖରେ ଓଡ଼ିଶା ଦଳର ତାଲିକା ଘୋଷଣା ହୋଇଥିଲା। ଏହି ତାଲିକାରୁ ବାଦ ପଡ଼ିବା ପରେ ରାଜଶ୍ରୀ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ମିଳିବା ପରେ ଚୟନ ପ୍ରକ୍ରିୟା ଯୋଗୁଁ ରାଜଶ୍ରୀଙ୍କର ଏଭଳି ଅବସ୍ଥା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Tags: #Sports #Cricket #WomenCricketPlayer #RajashreeSwain #UnnaturalDeath

Comment