ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ଵକପ ୨୦୨୩। ଶୁକ୍ରବାର ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଛି ୪ଟି ମ୍ୟାଚ। ଶନିବାର ବିଶ୍ଵକପର ଦ୍ଵିତୀୟ ଦିବସରେ ମଧ୍ୟ ୪ଟି ମ୍ୟାଚ ଖେଳାଯିବ। ହକି ବିଶ୍ଵକପ ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ରେ ଦୁଇଟି ଲେଖାଏଁ ମୁକାବିଲା ହେବ।

ଶନିବାର ବିଶ୍ଵକପର ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଚିଲି ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ସି’ର ଏହି ମ୍ୟାଚଟି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦିନ ୧ଟା ବେଳେ ଆରମ୍ଭ ହେବ। ଅଧିନାୟକ ଫରନାଣ୍ଡୋ ରେଞ୍ଜଙ୍କ ନେତୃତ୍ୱରେ ଚିଲି ଖେଳିବାକୁ ଆସିବା ବେଳେ ନିକ୍ ଉଡ୍ସଙ୍କ ନେତୃତ୍ଵରେ ଖେଳିବ ନ୍ୟୁଜିଲାଣ୍ଡ। ବିଶ୍ଵକପରେ ଚିଲି ପ୍ରଥମଥର ଲାଗି ଖେଳିବାକୁ ଯାଉଛି।

ହକି ବିଶ୍ଵକପରେ ଗ୍ରୁପ ‘ସି’ର ଦ୍ଵିତୀୟ ମ୍ୟାଚ ନେଦରଲାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳାଯିବ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ସରିବା ପରେ ଅପରାହ୍ଣ ୩ଟା ବେଳେ ଏହି ଦ୍ଵିତୀୟ ମ୍ୟାଚଟି ଖେଳାଯିବ। ମ୍ୟାଚରେ ଥ୍ୟେରି ବ୍ରିଙ୍କମ୍ୟାନ ନେଦରଲାଣ୍ଡସ ଦଳର ନେତୃତ୍ୱ ନେବେ। ସେହିପରି ମାଲେସିଆ ମାରହନ ଜଲିଲଙ୍କ ଅଧିନାୟକତ୍ଵରେ ଖେଳିବ।

ରାଉରକେଲାରେ ପ୍ରଥମ ଦୁଇଟି ମ୍ୟାଚ ପରେ ଶନିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବେଲଜିୟମ ଓ ଦକ୍ଷିଣ କୋରିଆ ମୁହାଁ ମୁହିଁ ହେବେ। ଗ୍ରୁପ ‘ବି’ର ଏହି ମ୍ୟାଚଟି ଅପରାହ୍ଣ ୫ ଟା ବେଳେ ଆରମ୍ଭ ହେବ। ବିଶ୍ଵକପରେ ସପ୍ତମ ଥର ଲଗି ଅଂଶ ଗ୍ରହଣ କରୁଛି ବେଲଜିୟମ। ଫେଲିକ୍ସ ଦିନାୟର ନେତୃତ୍ଵରେ ଦଳ ମ୍ୟାଚ ଖେଳିବ। ଅନ୍ୟପଟେ କ୍ୟାପଟେନ ଲି ସିୟୁଙ୍ଗ ଇଲଙ୍କ ନେତୃତ୍ଵରେ ଦକ୍ଷିଣ କୋରିଆ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ।

ଦିନର ସବୁ ମ୍ୟାଚ ପରେ ଶନିବାର ସନ୍ଧ୍ୟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ ଖେଳି ଉଭୟ ଦଳ ନିଜର ବିଶ୍ଵକପ ଅଭିଯାନ ଆରମ୍ଭ କରିବେ। ଗ୍ରୁପ ‘ବି’ର ଏହି ମ୍ୟାଚଟି ସନ୍ଧ୍ୟା ୭ଟା ବେଳେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଗ୍ରାମବୁସ ମ୍ୟାଟ୍ସ ଜର୍ମାନୀ ଦଳର ନେତୃତ୍ୱ ନେବେ। ସେହିପରି ସେରେନ ଟନାକା ଜାପାନ ଦଳର ମଙ୍ଗ ଧରିବେ।

Tags: #Men’sHockeyWorldCup #Groupstage #NewZealand #Chili #Netherlands #Malaysia #Belgium #SouthKorea #Germany #Japan #Hockey #Odisha

Comment