ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖେଳାଯାଉଛି ହକି ପୁରୁଷ ବିଶ୍ଵକପ ୨୦୨୩। ଦିନ ଗଡ଼ୁଥିବା ସହିତ ବିଶ୍ଵକପର ରୋମାଞ୍ଚ ବଢିବାରେ ଲାଗିଛି। ସୋମବାର ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ ୪ଟି ମ୍ୟାଚ। ହକି ବିଶ୍ଵକପର ଗ୍ରୁପ୍ ‘ସି’ ଓ ଗ୍ରୁପ୍ ‘ଏ’ ରେ ଦୁଇଟି ଲେଖାଏଁ ମ୍ୟାଚ ଖେଳାଯିବ।
ସୋମବାର ବିଶ୍ଵକପର ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ମାଲେସିଆ ଓ ଚିଲି ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ସି’ର ଏହି ମ୍ୟାଚଟି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦିନ ୧ଟା ବେଳେ ଆରମ୍ଭ ହେବ। ଅଧିନାୟକ ଫରନାଣ୍ଡୋ ରେଞ୍ଜଙ୍କ ନେତୃତ୍ୱରେ ଚିଲି ଖେଳିବାକୁ ଆସିବା ବେଳେ ମାରହନ ଜଲିଲ ମାଲେସିଆ ଦଳର ନେତୃତ୍ୱ ନେବେ। ଉଭୟ ଦଳ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛନ୍ତି।
ଗ୍ରୁପ ‘ସି’ରେ ସୋମବାର ନେଦରଲାଣ୍ଡସ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯିବ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ସରିବା ପରେ ଅପରାହ୍ଣ ୩ଟା ବେଳେ ଏହି ଦ୍ଵିତୀୟ ମ୍ୟାଚଟି ଖେଳାଯିବ। ମ୍ୟାଚରେ ଥ୍ୟେରି ବ୍ରିଙ୍କମ୍ୟାନ ନେଦରଲାଣ୍ଡସ ଦଳର ନେତୃତ୍ୱ ନେବେ। ସେହିପରି ନିକ ଉଡ୍ସଙ୍କ ଅଧିନାୟକତ୍ଵରେ ଖେଳିବ ‘ବ୍ଲାକ ସ୍ଟିକ୍ସ’ ଭାବେ ପରିଚିତ ନ୍ୟୁଜିଲାଣ୍ଡ ଦଳ।
ରାଉରକେଲାରେ ପ୍ରଥମ ଦୁଇଟି ମ୍ୟାଚ ପରେ ଶନିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଗ୍ରୁପ ‘ଏ’ର ଏହି ମ୍ୟାଚଟି ଅପରାହ୍ଣ ୫ଟା ବେଳେ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାକୁ କଡ଼ା ଟକ୍କର ଦେଇଥିବା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ଖେଳିବ। ଦାୟାନ କ୍ୟାସିମଙ୍କ ନେତୃତ୍ଵରେ ଦଳ ମ୍ୟାଚ ଖେଳିବ। ଅନ୍ୟପଟେ କ୍ୟାପଟେନ ଭିକ୍ଟର ଚାରଲେଟଙ୍କ ନେତୃତ୍ଵରେ ଖେଳିବାକୁ ଫ୍ରାନ୍ସ ପଡ଼ିଆକୁ ଓହ୍ଲାଇବ।
ଦିନର ସବୁ ମ୍ୟାଚପରେ ସୋମବାର ସନ୍ଧ୍ୟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ଗ୍ରୁପ ‘ଏ’ର ଏହି ମ୍ୟାଚଟି ସନ୍ଧ୍ୟା ୭ଟା ବେଳେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ବିଶ୍ଵକପରେ ନିଜର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛନ୍ତି।
Tags: #Men’sHockeyWorldCup #Groupstage #Malaysia #Chile #NewZealand #Netherlands #France #SouthAfrica #Argentina #Australia #Hockey #Odisha


















