ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ଵକପ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର ଗ୍ରୁପ୍ ‘ସି’ର ପ୍ରଥମ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ବଳରେ ମାଲେସିଆ ଗ୍ରୁପ୍ ‘ସି’ରେ ଦ୍ଵିତୀୟ ସ୍ଥାନରେ ରହିଛି। ଉତ୍ତମ ପ୍ରଦର୍ଶନ ପାଇଁ ମାଲେସିଆ ଅଧିନାୟକ ମାରହନ ଜଲିଲ୍ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଛନ୍ତି।

ଗୁରୁବାର ଦିନ ୧ଟା ବେଳେ ଆରମ୍ଭ ହୋଇଥିଲା ମାଲେସିଆ-ନ୍ୟୁଜିଲାଣ୍ଡ ମୁକବିଲା। ମ୍ୟାଚ ଆରମ୍ଭରୁ ମାଲେସିଆର ଖେଳାଳମାନେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ମ୍ୟାଚର ଅଷ୍ଟମ ମିନିଟରେ ମାଲେସିଆର ଫୈଜଲ ସାରି ପ୍ରଥମ ଗୋଲ ଦେଇଥିଲେ। ପ୍ରଥମ ଗୋଲ ହେବାପରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ରକ୍ଷଣାତ୍ମକ ଖେଳିଥିଲେ,ଏହାସତ୍ତ୍ଵେ ମାଲେସିଆ ତୃତୀୟ କ୍ଵର୍ଟରର ୧୨ତମ ମିନିଟରେ ଆଉ ଏକ ଗୋଲ ଦେଇଥିଲା।

ଏହାପରେ ମ୍ୟାଚରେ ଅନ୍ତିମ କ୍ଵର୍ଟରରେ ନ୍ୟୁଜିଲାଣ୍ଡ ଲଗାତର ୨ଟି ଗୋଲ ଦେଇ ମ୍ୟାଚର ଦିଗ ପରିବର୍ତ୍ତନ କରିଥିଲା। ଶେଷ କ୍ଵର୍ଟରର ଷଷ୍ଠ ଓ ସପ୍ତମ ମିନିଟରେ ନ୍ୟୁଜିଲାଣ୍ଡ ଏହି ଦୁଇଟି ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ହେଡେନ ଫିଲିପ୍ସ ଓ ସାମ ଲେନ ଏହି ଦୁଇଟି ଗୋଲ ଦେଇଥିଲେ।

ନ୍ୟୁଜିଲାଣ୍ଡ ଗୋଲ ଦେବାର ମାତ୍ର ୪ ମିନିଟ ପରେ ମାଲେସିଆ ତରଫରୁ ଫୈଜଲ ସାରି ଆଉ ଏକ ଗୋଲ ଦେଇଥିଲେ ଏହି ଗୋଲ ବଳରେ ମାଲେସିଆ ମ୍ୟାଚରେ ୩-୨ ଗୋଲରେ ଅଗ୍ରଣୀ ହୋଇଥିଲା ନ୍ୟୁଜିଲାଣ୍ଡ ପରେ ଚେଷ୍ଟା କରିଥିଲେ ମଧ୍ୟ ମ୍ୟାଚ ବଞ୍ଚାଇବାରେ ସଫଳ ହୋଇନଥିଲା।

ଏବେ ମାଲେସିଆ ଦଳ ବିଶ୍ଵକପର କ୍ରସଓଭର ମ୍ୟାଚ ଖେଳିବ। କ୍ରସଓଭର ମ୍ୟାଚରେ ପ୍ରଦର୍ଶନକୁ ନେଇ ବିଶ୍ଵକପରେ ଦଳର ସ୍ଥିତି ନିର୍ଦ୍ଧାରିତ ହେବ।

Tags: #HockeyMen’sWorldCup #Groupstage #Malaysia #wins #NewZealand #kalingaStadium #Hockey #India #Odisha

Comment