ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ଵକପ ୨୦୨୩ରେ ନେଦରଲାଣ୍ଡସ ପ୍ରଥମ ଦଳ ଭାବେ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସୋମବାର ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡକୁ ୪-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲ ଯୋଗ୍ୟତା ଅର୍ଜନ କରିଛି। ଏହି ବିଜୟ ବଳରେ ନେଦରଲାଣ୍ଡସ ଗ୍ରୁପରେ ଥିବା ଅନ୍ୟ ଦଳମାନଙ୍କୁ ପଛରେ ପକାଇ ଦେଇଛି।

ହକି ବିଶ୍ଵକପର ଗ୍ରୁପ୍ ‘ସି’ରେ ବର୍ତ୍ତମାନ ନେଦରଲାଣ୍ଡସ ଶୀର୍ଷରେ ରହିଛି। ଦଳ ୨ ମ୍ୟାଚ୍‌ରୁ ୬ ପଏଣ୍ଟ ହାସଲ କରିଛି। ଦଳର ଗୋଲ ବ୍ୟବଧାନ ମଧ୍ୟ ଭଲ ରହିଛି। ଗ୍ରୁପରେ ନେଦରଲାଣ୍ଡସ ପଛକୁ ନ୍ୟୁଜିଲାଣ୍ଡ ଓ ମାଲେସିଆ ରହିଛନ୍ତି। ଉଭୟ ଦଳ ଗୋଟିଏ ମ୍ୟାଚ ଜିତି ୩ ପଏଣ୍ଟ ଲେଖାଏଁ ପାଇଛନ୍ତି। ଗ୍ରୁପରେ ଚିଲି ୨ଟି ଯାକ ମ୍ୟାଚ୍‌ ହାରିସାରିଥିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି।

ଏବେ ଜାନୁଆରି ୧୯ ତାରିଖରେ ଗ୍ରୁପ୍ ‘ସି’ରେ ଥିବା ଦଳଗୁଡ଼ିକ ନିଜର ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ ଖେଳିବେ। ଗୁରୁବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡସ ଓ ଚିଲି ମୁହାଁମୁହିଁ ହେବେ। ଏବେ ନେଦରଲାଣ୍ଡସ ସିଧାସଳଖ କ୍ଵାର୍ଟର ଫାଇନାଲକୁ ଯାଇଥିବାରୁ ଅନ୍ୟ ଦଳମାନଙ୍କ ମଧ୍ୟରୁ କେଉଁ ଦୁଇଟି ଦଳ କ୍ରସ୍‌ଓଭର ଖେଳିବା ପାଇଁ ଯୋଗ୍ୟତା ପାଇବେ ତାହା ସ୍ପଷ୍ଟ ହୋଇଯିବ।

ନେଦରଲାଣ୍ଡ ୨୦୧୮ ବିଶ୍ଵକପରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲକୁ ଯାଇଥିଲା। ମାତ୍ର ଫାଇନାଲରେ ବେଲଜିୟମଠାରୁ ହାରି ରନରଅପ୍‌ ହୋଇଥିଲା। ଦଳ ବିଶ୍ୱକପ ଇତିହାସରେ ଏକ ସଫଳ ଦଳ ଭାବେ ପରିଗଣିତ। ୧୯୭୩, ୧୯୯୦ ଓ ୧୯୯୮ ମସିହାରେ ହୋଇଥିବା ହକି ବିଶ୍ଵକପ ଜିତି ୩ ଥର ଚାମ୍ପିୟନ ହୋଇଛି। ଆଉମଧ୍ୟ ଦଳ ୧୯୬୮, ୧୯୯୪, ୨୦୧୪ ଓ ୨୦୧୮ ମସିହା ବିଶ୍ଵକପରେ ରନରଅପ୍‌ ହୋଇଛି। ଏହା ବ୍ୟତୀତ ୨୦୦୨ ଓ ୨୦୧୦ ମସିହା ବିଶ୍ଵକପରେ ୨ଥର ବ୍ରୋଞ୍ଜ ପଦକ ମଧ୍ୟ ପାଇସାରିଛି।

Tags: #HockeyMen’sWorldCup #Netherlands #Qualifies #QuarterFinal #FirstTeam #GroupC #Hockey #Odisha

Comment