ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ସନ୍ନ୍ୟାସ ନେଲେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ନିଜ କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରିଲିଆନ ଓପନ ୨୦୨୩ ଖେଳିଛନ୍ତି ସାନିଆ। ଯୋଡ଼ିଦାର ରୋହନ ବୋପନ୍ନାଙ୍କ ସହ ମିକ୍ସଡ ଡବଲ୍ସର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଫାଇନାରେ ସାନିଆ ଏବଂ ବୋପନ୍ନାଙ୍କ ଯୋଡ଼ିକୁ ବିଫଳତାର ମୁହଁ ଦେଖିବାକୁ ପଡ଼ିଛି। କ୍ୟାରିୟରର ଅନ୍ତିମ ଗ୍ରାଣ୍ଡସ୍ଲାମ ଜିତିବାର ସ୍ଵପ୍ନ ପୂରା ହୋଇପାରି ନଥିବାରୁ ସାନିଆଙ୍କ ଆଖି ଲୁହରେ ଭିଜି ଯାଇଥିଲା। କେବଳ ସାନିଆ ନୁହଁନ୍ତି ତାଙ୍କ ପ୍ରଶଂସମାନଙ୍କ ଆଖିରୁ ମଧ୍ୟ ଧାର ଧାର ହୋଇ ଲୁହ ବହି ଯାଇଥିଲା।

ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନିଜ କାରିୟରରେ ୬ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସାନିଆ ଏବଂ ବୋପନ୍ନାଙ୍କ ଜୋଡ଼ି ମେଲବର୍ଣ୍ଣର ରାଉଣ୍ଡଲେଭର ଏରେନାରେ ଖେଳାଯାଇଥିବା ଫାଇନାଲରେ ଲୁଇସା ଷ୍ଟେଫନୀ ଏବଂ ରାଫେଲ ମୋଟୋସଙ୍କ ବ୍ରାଜିଲିୟ ଯୋଡ଼ିଠାରୁ ୬-୭(୨) ୨-୬ରେ ପରାସ୍ତ ହୋଇଥିଲେ। ଫାଇନାଲରେ ହାରିବା ପରେ ସାନିଆ ମିର୍ଜାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଆସନ୍ତା ଫେବ୍ରୁଆରି ମାସରେ ଦୁବାଇଠାରେ ହେବାକୁ ଥିବା ଡବ୍ଲ୍ୟୁଟିଏ ଟୁର୍ଣ୍ଣାମେଣ୍ଟ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଘୋଷଣା କରିଛନ୍ତି ସାନିଆ ମିର୍ଜା।

ସାନିଆଙ୍କର ୬ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ୩ଟି ମିକ୍ସଡ ଡବ୍ଲସରେ ମିଳିଛି। ମହେଶ ଭୂପତିଙ୍କ ସହ ୨୦୦୯ ଅଷ୍ଟ୍ରେଲିୟା ଓପନ ଓ ୨୦୧୨ରେ ଫ୍ରେଞ୍ଚ ଓପନରେ ଗ୍ରାଣ୍ଡାସ୍ଲାମ ବିଜୟୀ ହୋଇଥିବାବେଳେ ବ୍ରାଜିଲର ବ୍ରୁନୋ ସୋରେସଙ୍କ ସହ ୨୦୧୪ରେ ଆମେରିକା ଓପନ ଜିତିଥିଲେ। ଏହା ସହ ସେ ଭମ୍ବଲଡନ ୨୦୧୫, ଆମେରିକା ଓପନ ୨୦୧୫ ଏବଂ ଆଷ୍ଟ୍ରେଲିଆ ଓପନ ୨୦୧୬ ଜିତିଛନ୍ତି।

Tags: #IndianTennisStar #SaniaMirza #LastGrandSlam

Comment