ଓଡ଼ିଶାଲାଇଭ୍‌ ବ୍ୟୁରୋ

“ମହିଳାମାନେ ଘରର ଚାରିକାନ୍ଥ ଭିତରେ ସୀମିତ ହୋଇ ରହିବା କଥା ନୁହେଁ। କେବଳ ପିଲା ଜନ୍ମ କରି ଘରର କଥା ବୁଝିବା ତାଙ୍କର ଦାୟିତ୍ୱ ନୁହେଁ। ଜଣେ ମହିଳା ମଧ୍ୟ ପେଶାଦାର ଖେଳାଳି ଭାବେ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିପାରିବ। ସେ ଟେନିସ ହେଉ କି କ୍ରିକେଟ। ସବୁ ଖେଳରେ ମହିଳାମାନେ ସାମିଲ ହୋଇ ଆଗକୁ ଆସିବା ଦରକାର”, ଓଡ଼ିଶାଲାଇଭ୍‌କୁ ଏହା କହିଥିଲେ ସାନିଆ ମିର୍ଜା।

ସାନିଆ ଆହୁରି କହିଥିଲେ ଯେ ବିଭିନ୍ନ କ୍ରୀଡ଼ାରେ ମହିଳାମାନେ ପୁରୁଷଙ୍କର ସମକକ୍ଷ ହୋଇପାରିବେ। ଏଥିପାଇଁ ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ପ୍ରତି ରହିଥିବା ଚିନ୍ତାଧାରା ବଦଳାଇବାକୁ ପଡ଼ିବ।

“ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୋ’ ବାପା ଏବଂ ମା’ ମତେ ଟେନିସ୍ ଖେଳିବା ପାଇଁ କୋଚଙ୍କ ପାଖକୁ ନେଇଥିଲେ। ଟେନିସ୍ ଖେଳିଲେ ଖରାରେ ମୋ’ ତ୍ୱଚା କଳା ପଡ଼ିଯିବ ଏବଂ ମତେ ବାହାହେବା ପାଇଁ ପୁଅ ମିଳିବେନି ବୋଲି ସେତେବେଳେ ଅନ୍ୟମାନେ କହିଥିଲେ। ଏଭଳି କ୍ଷେତ୍ରରେ ପ୍ରଥମେ ନିଜ ମାନସିକତାକୁ ସୁଦୃଢ଼ କରିବାକୁ ପଡ଼ିବ। ଜଣେ ମହିଳାଙ୍କ ପ୍ରତି ଥିବା ଅନ୍ୟମାନଙ୍କର ଚିନ୍ତାଧାରା ବଦଳାଇବାକୁ ପଡ଼ିବ”, କହିଥିଲେ ସାନିଆ।

ଜଣେ ମହିଳାଙ୍କୁ ନିଜ ହକ୍‌ ପାଇଁ ନିଜେ ଲଢ଼େଇ କରିବାକୁ ପଡ଼ିବ। ସମାଜରେ ନିଜର ସ୍ଥିତି ଜାହିର୍ କରିବାକୁ ପଡ଼ିବ। ଏହା ପରେ ହିଁ ଅନ୍ୟମାନେ ଆମକୁ ସମ୍ମାନ କରିବେ ବୋଲି କହିଥିଲେ ସାନିଆ।

“ଜଣେ ମହିଳାଙ୍କର ସ୍ୱାଧିନତା ରହିବା ଦରକାର। ଯଦି ଜଣେ ମହିଳା ଖେଳିବାକୁ ଚାହୁଁଛି ତାହାଲେ ତାଙ୍କୁ ଖେଳିବାକୁ ସୁଯୋଗ ଦେବା ଦରକାର। ଯଦି ଜଣେ ମହିଳା ଦୌଡ଼କୁଦରେ ସାମିଲ ହେବାକୁ ଚାହୁଁଛି ତାହାଲେ ତାଙ୍କୁ ଦଉଡ଼ିବାକୁ ସୁଯୋଗ ଦେବା ଦରକାର। ଏଥିପାଇଁ ପରିବାର ଲୋକଙ୍କର ସମର୍ଥନ ରହିବା ଆବଶ୍ୟକ”, କହିଥିଲେ ସାନିଆ।

ସାନିଆ କହିଥିଲେ ଯେ ଟେନିସ୍ ଖେଳିବା ପାଇଁ ମୋ’ ବାପା ମାଆ ମତେ ଟେନିସ୍ ଖେଳିବା ପାଇଁ ସମର୍ଥନ କରିଛନ୍ତି। ମୋ’ ବାପା ମା’ଙ୍କର ଆମେ ଦୁଇ ଝିଅ। ସେମାନେ କେବେବି ଆମକୁ ପୁଅ ଝିଅ ଭିତରେ ଫରକ ଭାବିବାକୁ ଦେଇ ନାହାନ୍ତି। ବାସ୍ତବରେ ଆଜିକାଲିର ସମାଜରେ ଏଭଳି ମନୋଭାବ ରଖି ଆଗକୁ ବଢ଼ିବାକୁ ପଡ଼ିବ।

“ଟେନିସ୍‌ରେ ସାମିଲ ହେବା ପରେ ମତେ ବହୁତ ସମର୍ଥନ ମିଳିଛି ଏବଂ ବହୁତ ନାଁ ମଧ୍ୟ କମାଇଛି। ମହିଳାମାନେ ସୁନାମ ଅର୍ଜନ କରିପାରିବେ ଏଥିରେ ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରେ। ମହିଳାମାନଙ୍କ ସପକ୍ଷରେ ସ୍ୱର ଉଠାଇବା ଦରକାର। ସେମାନଙ୍କୁ ଚାପରେ ରଖିବା ଠିକ୍‌ ନୁହେଁ”, କହିଥିଲେ ସାନିଆ।

Comment