ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ବର୍ଗର ଦକ୍ଷତା ବିକାଶ ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ ଆରମ୍ଭ କରିଛନ୍ତି। ଆସନ୍ତା ତିନି ବର୍ଷ ମଧ୍ୟରେ ଦେଶର ଲକ୍ଷାଧିକ ଯୁବକ ଯୁବତୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ସଂସଦରେ ବଜେଟ୍ ଉପସ୍ଥାପନ କରିବା ସମୟରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପାଇଁ ବ୍ୟୟବରାଦ ହୋଇଥିବା ଟଙ୍କା ଏଥିରେ ଖର୍ଚ୍ଚ ହେବ।

ଏହି ଯୋଜନାରେ ଯୁବ ବର୍ଗକୁ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସୁଯୋଗ ଦେବା ଏବଂ କୁଶଳୀ କରିବା ପାଇଁ ବିଭିନ୍ନ ରାଜ୍ୟରେ ୩୦ଟି ସ୍କିଲ୍ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପୂର୍ବରୁ ଆସିଥିବା ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଏଥିଲାଗି ବ୍ୟବସ୍ଥା କରାଯାଇଛି।

ବଜେଟ୍ ଅନୁସାରେ କୌଶଳ ବିକାଶ ଯୋଜନା ୪.୦ରେ ବୈଷୟିକ ଶିକ୍ଷା, ଶିଳ୍ପ ତାଲିମ ଏବଂ ଶିଳ୍ପ ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବ। ଏହାଛଡ଼ା କୋଡିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ, ମେକାଟ୍ରୋନିକ୍ସ, ଇଣ୍ଟରନେଟ୍ ଅଫ ଥିଙ୍କସ୍(ଆଇଓଟି), ୩ଡି ପ୍ରିଣ୍ଟିଂ, ଡ୍ରୋନ୍ ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ବୈଷୟିକ ଶିକ୍ଷାକୁ ନୂତନ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

ଆଗକୁ କୌଶଳ ବିକାଶ ଯୋଜନାକୁ ଆହୁରି ବିସ୍ତାର କରିବା ପାଇଁ ଏକୀକୃତ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍ ପ୍ଲାଟଫର୍ମର ଶୁଭାରମ୍ଭ କରାଯିବ।

Tags: #Budget2023-24 #PMKaushalVikasYojana4.0 #SkillDevelopment #NirmalaSithaRaman #India

Comment