ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵଭୂଷଣ ହରିଚନ୍ଦନ ଛତିଶଗଡ଼ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ଛତିଶଗଡ଼ର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ବିଶ୍ଵଭୂଷଣ ହରିଚନ୍ଦନଙ୍କ ସ୍ଥାନରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରବିବାର ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଶ୍ଵଭୂଷଣ ହରିଚନ୍ଦନ ୨୦୧୯ ମସିହା ଜୁଲାଇ ମାସରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରହିଛନ୍ତି। ତେବେ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଓଡ଼ିଶାର ରାଜନୀତିରେ ବେଶ ସକ୍ରିୟ ରହିଥିଲେ। ସେ ଚିଲିକା ବିଧାନସଭା ଆସନରୁ ଦୁଇଥର ବିଧାୟକ ଥିବାବେଳେ, ୧୯୯୭ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଥିଲେ। ଏହାଛଡା ସେ ଓଡ଼ିଶା ସରକାରଙ୍କ ଆଇନ ଏବଂ ରାଜସ୍ଵ ମନ୍ତ୍ରୀ ଭାବେ ଦାୟିତ୍ଵ ବହନ କରିଥିଲେ।

ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ୧୨ଟି ରାଜ୍ୟର ରାଜ୍ୟପାଳ ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ନିଯୁକ୍ତ ହୋଇଥିବା ରାଜ୍ୟପାଳଙ୍କ ମଧ୍ୟରେ ବର୍ତ୍ତମାନ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ୭ ଜଣଙ୍କୁ ବଦଳି କରାଯାଇଛି। ଏହାଛଡା ମହାରାଷ୍ଟ୍ରର ରାଜ୍ୟପାଳ ଭଗତସିଂହ କୋଶ୍ୟାରି ଓ ଲଦାଖର ଉପ-ରାଜ୍ୟପାଳ ରାଧାକୃଷ୍ଣ ମଥୁର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ବିଶ୍ଵଭୂଷଣ ହରିଚନ୍ଦନଙ୍କ ଛଡ଼ା ବର୍ତ୍ତମାନ ଛତିଶଗଡ଼ର ରାଜ୍ୟପାଳ ଥିବା ଅନସୂୟା ଉକିଙ୍କୁ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମଣିପୁରର ରାଜ୍ୟପାଳ ଲା. ଗଣେଶନଙ୍କୁ ନାଗାଲାଣ୍ଡର ନୂତନ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

ବିହାରର ରାଜ୍ୟପାଳ ଫଗୁ ଚୌହାନଙ୍କୁ ମେଘାଳୟରେ, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକରଙ୍କୁ ବିହାରରେ ଓ ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈଶ ମହାରାଷ୍ଟ୍ରରେ ନୂତନ ରାଜ୍ୟପାଳ ହୋଇଛନ୍ତି।

ତେବେ ନୂତନ ନିଯୁକ୍ତ ହୋଇଥିବା ରାଜ୍ୟପାଳଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ପୂର୍ବତନ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଏକ, ସିକିମରେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ,ଝାଡ଼ଖଣ୍ଡରେ ସିପି ରାଧାକୃଷ୍ଣନ୍ ,ହିମାଚଳ ପ୍ରଦେଶରେ ଶିବ ପ୍ରତାପ ଶୁକ୍ଲା, ଆସାମରେ ଗୁଲାବ ଚାନ୍ଦ କଟାରିଆ ଏବଂ ଆନ୍ଧ୍ରପ୍ରଦେଶରେ ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ନିଯୁକ୍ତ କରାଯାଇଛି।

Tags: #PresidentofIndia #DroupadiMurmu #Governors #BiswabhusanHarichandan #Chattishgarh #India

Comment