ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଏହି ବିଶ୍ଵକପର ଗ୍ରୁପ୍ ‘ବି’ ମ୍ୟାଚରେ ରବିବାର ଟିମ୍ ଇଣ୍ଡିଆ ୭ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ଦେଇଥିବା ୧୫୦ ରନର ବିଜୟ ଲକ୍ଷକୁ ଦଳ ଗୋଟିଏ ଓଭର ବାକି ଥାଇ ପୁରାକରି ମ୍ୟାଚ ଜିତିନେଇଛି। ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଭାରତର ଜେମିମା ରୋଡରିଗସଙ୍କୁ ପ୍ଲେୟାର ଅଫ୍ ଡି ମ୍ୟାଚ ପୁରସ୍କାର ମିଳିଛି।

ରବିବାର କେପଟାଉନରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ଥାନ ମହିଳା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ବ୍ୟାଟିଂ କରିବାକୁ ଆସିଥିବା ବେଳେ ପରମ୍ଭିକ ବିପର୍ଯୟର ଶିକାର ହୋଇଥିଲା। ଦଳର ଦୁଇ ଓପନିଂ ଯୋଡ଼ି ଆଉଟ ହେବ ପରେ ପାକିସ୍ଥାନ ଅଧିନାୟିକା ବିସ୍ମା ମାରୁଫ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କର ବ୍ୟକ୍ତିଗତ ୬୮ ରନର ଇନିଂସ୍ ବଳରେ ପାକିସ୍ଥାନ ୧୪୯ ରନରେ କରିବାରେ ସଫଳ ହୋଇଥିଲା।

ଏହାପରେ ୧୫୦ ରନର ବିଜୟ ଲକ୍ଷକୁ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଭାରତୀୟ ଓପନିଂ ଯୋଡ଼ି ଶେଫାଳି ବର୍ମା ଓ ୟସ୍ତିକା ଭାଟିଆ। ଦୁହେଁ ଆରମ୍ଭରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୩୮ ରନ ହୋଇଥିବାବେଳେ ୟସ୍ତିକା ଆଉଟ ହୋଇଯାଇଥିଲେ। ଏହାପରେ ଜେମିମା ରୋଡରିଗସ ବ୍ୟାଟିଂ କରିବାକୁ ଆସି ୫୩ ରନର ଅପରାଜିତ ଇନିଂସ୍ ଖେଳିଥିଲେ। ସେ ଦଳର ଅନ୍ୟ ଖେଳାଳି ରିଚା ଘୋଷଙ୍କ ସହ ମିଶି ୧୯ ତମ ଓଭରେ ବିଜୟ ଲକ୍ଷକୁ ହାସଲ କରିନେଇଥିଲେ।

ଏହି ବିଜୟରୁ ଭାରତୀୟ ମହିଳା ଦଳ ଟି-ଟ୍ୱେଣ୍ଟି ବିଶ୍ଵକପରେ ନିଜର ଅଭିଯାନ ଆରମ୍ଭ କରିଛି। ବୁଧବାର ଦଳ ନିଜର ପରବର୍ତ୍ତୀ ମ୍ୟାଚରେ ୱେଷ୍ଟଇଣ୍ଡିଜ ସହ ମୁହାଁମୁହିଁ ହେବ।

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପର ଅଷ୍ଟମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳଯାଉଛି। ବିଶ୍ଵ ୧୦ଟି ମହିଳା କ୍ରିକେଟ ଦଳ ଏଥିରେ ଭାଗ ନେଉଛନ୍ତି। ଫେବ୍ରୁଆରି ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୨୬ ତାରିଖ ଯାଏଁ ଚାଲିବ।

Tags: #ICCwomensT-20WorldCup #India #Pakistan #Cricket #Capetown #SouthAfrica #ICC #BCCI

LEAVE A REPLY

Please enter your comment!
Please enter your name here