ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଲଓ୍ୱାମା ଆକ୍ରମଣକୁ ପୂରିଲା ୪ ବର୍ଷ। ହେଲେ ଆଜିବି ମନରୁ ଲିଭୁନି ସେହି ଛାତିଥରା ଘଟଣା। ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ୍‌ ଯବାନ। ଆଜି ସେହି ବୀର ସହିଦଙ୍କୁ ମନେ ପକାଇ ସାରା ଭାରତ ବର୍ଷ ଦେଉଛି ଶ୍ରଦ୍ଧାଞ୍ଜଳି।

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖର ସେହି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଥିଲା। ଯବାନଙ୍କ ପ୍ରାଣବଳୀରେ କାନ୍ଦି ଥିଲା ସାରାଦେଶ। ପୁଲଓ୍ୱାମା ଆକ୍ରମଣ ଘଟଣାରେ କିଏ ନିଜ ସ୍ୱାମୀକୁ ହରାଇଥିଲା ତ କିଏ ବାପାକୁ ହରେଇ ଅନାଥ ହୋଇଗଲା। ଆଉ କେହି ନିଜ ଯବାନ ପୁଅକୁ ହରାଇ ବେସାହାରା ହୋଇଗଲେ। କେବଳ ସେତିକି ନୁହେଁ କିଏ ନିଜ ବିବାହର ପ୍ରସ୍ତୁତି କରି ଚାକିରିକୁ ଯାଇଥିଲା ବେଳେ କଫିନରେ ନିଜ ଗାଁକୁ ଫେରିଥିଲେ। ଏ ଦୃଶ୍ୟ ମନେ ପଡ଼ିଗଲେ ଲୋକ ଟାଙ୍କୁରି ଉଠେ।

କେମିତି ଘଟିଲା ଘଟଣା?

୨୦୧୯ ମସିହା ଫେବ୍ରୁଆରି ୧୪  ତାରିଖର, ପ୍ରାୟ ୨,୫୦୦ ଯବାନଙ୍କୁ ନେଇ ସିଆର୍‌ପିଏଫ୍‌ର ୭୦ଟି ଗାଡ଼ି ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଭୋର୍ ୩ଟା ୩୦ରୁ ଏହି ବସ୍‌ଗୁଡ଼ିକ ଶ୍ରୀନଗର ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବାର ଥିଲା। ହେଲେ ପୁଲଓ୍ୱାମା ନିକଟରେ ଆତଙ୍କବାଦୀମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ। ଯବାନମାନେ ଶ୍ରୀନଗର ଯାଉଥିବା ଖବର ପାଇ ଆତଙ୍କବାଦୀମାନେ ଏକ କାର୍‌ରେ ବିସ୍ଫୋରକ ଭର୍ତ୍ତି କରି ରଖିଥିଲେ।

ରାସ୍ତାରେ ଆଗ ପଛ ହୋଇ ଯବାନମାନଙ୍କ ଗାଡ଼ି ଯାଉଥିବା ବେଳେ ହଠାତ୍ ବିସ୍ଫୋରକ ଭର୍ତ୍ତି କାର୍‌ଟି ମାଡ଼ି ଆସିଥିଲା। ସିଆର୍‌ପିଏଫ୍‌ର ଗୋଟିଏ ବସ୍‌ ସହ ସିଧାସଳଖ ପିଟି ହୋଇଥିଲା କାରଟି। ଏହି ବସ୍‌ରେ ୩୯ ଜଣ ଯବାନ ଥିଲେ। ଏହି ବସ୍‌ ସମେତ ଅନ୍ୟ ବସ୍‌ ବି କ୍ଷତିଗ୍ରସ୍ତ ହୋଇଥିଲା। ଯବାନଙ୍କ ରକ୍ତରେ ରାସ୍ତାବି ଜୁଡ଼ୁବୁଡ଼ୁ ଥିଲା।

 ମୁଖ୍ୟ ଅଭିଯୁକ୍ତ ଥିଲା ଆଦିଲ ଅହମ୍ମଦ

ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଏହି ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ବିସ୍ଫୋରକ ଭର୍ତ୍ତି କାରକୁ ଆଦିଲ ଅହମ୍ମଦ ହିଁ ଚଳାଉଥିଲା। ସିଆର୍‌ପିଏଫ୍ ବସ୍ ପୁଲଓ୍ୱାମା ଅତିକ୍ରମ କରୁଥିବା ବେଳେ ଆଦିଲ ବିସ୍ଫୋରକ କାର୍ ନେଇ ବସ୍‌କୁ ଧକ୍କା ଦେଇଥିଲେ।

Tags: #JammuKashmir #PulwamaAttack #Sahid

LEAVE A REPLY

Please enter your comment!
Please enter your name here