ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଓଡ଼ିଶା ବିଧାନସଭାରେ ୨୦୨୩-୨୪ ଆଥିର୍କ ବର୍ଷ ପାଇଁ ସାଧାରଣ ବଜେଟ୍‌ ସହ ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି। କୃଷି କ୍ଷେତ୍ର ପାଇଁ ଏଥର ବଜେଟରେ ୨୪ ହଜାର ୮୨୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୨-୨୩ ତୁଳନାରେ ଏହା ୨୦ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଛନ୍ତି। ରାଜ୍ୟ ସରକାର ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରି ଆସୁଛନ୍ତି।

କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ୨୦୧୮-୧୯ରୁ କାଳିଆ ଯୋଜନା ଲାଗୁ କରିଛନ୍ତି। ଚଳିତ ବଜେଟରେ ଏହି ଯୋଜନା ପାଇଁ ୧ ହଜାର ୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୮୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଉଦ୍ୟାନ କୃଷିର ସମନ୍ୱିତ ବିକାଶ ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନ ଅଧୀନରେ ୧୨୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଜୈବିକ କୃଷିକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ କରିବାକୁ ଲକ୍ଷ୍ୟ ରହିଛି।

ଜଳନିଧି ଯୋଜନାକୁ ସୌର ଜଳନିଧି ଯୋଜନାରେ ପୁନଃ ରୂପାୟନ କରାଯାଇଛି। ଅକ୍ଷୟ ଶକ୍ତି ଉତ୍ସକୁ ଉପଯୋଗ କରି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରିବାକୁ ପ୍ରସ୍ତାବ ରହିଛି।

କୃଷି ଓ ଆନୁସଙ୍ଗୀକ କ୍ଷେତ୍ରର ବିକାଶ ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୩୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି କୃଷକ ଉତ୍ପାଦକ ସଙ୍ଗଠନଗୁଡ଼ିକୁ ୫୨ କୋଟି ଟଙ୍କାର ସହାୟତା ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

କୃଷି କ୍ଷେତ୍ର ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗୀମାନେ ଯୋଡ଼ି ହୋଇଛନ୍ତି। ସେମାନଙ୍କ ନିରନ୍ତର ଆୟ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଆସନ୍ତା ୫ ବର୍ଷ ମଧ୍ୟରେ ୩୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଚଳିତ ବଜେଟରେ ପ୍ରସ୍ତାବ ରହିଛି।

ରାଜ୍ୟ ସରକାର ଚଳିତ ବଜେଟରେ ଛତୁ ମିଶନ, ପଣସ ମିଶନ ଏବଂ ଫୁଲ ଚାଷ ମିଶନକୁ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ୫ ବର୍ଷ ଭିତରେ ରାଜ୍ୟର ୯ଟି ଜିଲ୍ଲାର ୫୦ଟି ବ୍ଳକରେ ଓଡ଼ିଶା ପଣସ ମିଶନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ପାଇଁ ୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଛତୁ ମିଶନ ଏବଂ ଫୁଲ ଚାଷ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ବିଭିନ୍ନ ନଦୀରେ ଇନଷ୍ଟ୍ରିମ୍‌ ଷ୍ଟୋରେଜ ନିର୍ମାଣ କରୁଛନ୍ତି। ଏଥିପାଇଁ ଚଳିତ ବଜେଟରେ ୮୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ କରାଯାଉଛି। ଏହି ଯୋଜନାରେ ୨୦୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ୭୫୯ କୋଟି ଟଙ୍କା ବ୍ୟୟ ଅଟକଳରେ ୧୭୦ଟି ନୂଆ ପ୍ରକଳ୍ପ ହାତକୁ ନିଆଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୨ ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ହେବ। ଏଥିପାଇଁ ୫୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି ଏବଂ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି ଟଙ୍କା ଏବଂ କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି ଏବଂ ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Tags: #Budget2023-24 #OdishaBudget #OdishaAssembly #BudgetSession #Financeminister #NiranjanPujari #AgricultureBudget

Comment