ଓଡ଼ିଶାଲାଇଭ୍ ବ୍ୟୁରୋ

ବେଆଇନ ଭାବେ ଗଞ୍ଜେଇ କିଣିବାକୁ ଯାଉଥିବା ସମୟରେ ଜୟପୁର ସଦର ଥାନା ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି। ଗିରଫ  ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ଗୋପାଳ ଲାଲ ଜାଟ ଏବଂ ଗୋପାଳ ଲାଲ ଗୁଜର। ପୋଲିସ ସେମାନଙ୍କ ନିକଟରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି।

ଜୟପୁର ସଦର ଥାନା ପୋଲିସ ପେଟ୍ରୋଲି କରୁଥିବା ସମୟରେ ପାତ୍ରପୁଟ-କୋଟା ଛକ ଦେଇ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ କାରକୁ ଅଟକାଇଥିଲା। କାରର ତଲାସୀ ନେବା ସମୟରେ ସେଥିରୁ ୨ ଲକ୍ଷ ୫୦ ହଜାର ଟଙ୍କା ପାଇଥିଲା ପୋଲିସ। କାରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ପଚରା ଉଚରା କରିବା ପରେ ସେମାନେ ଗଞ୍ଜେଇ କିଣିବା ପାଇଁ ଆନ୍ଧ୍ରପ୍ରଦେଶ ଯାଉଥିବା କହିଥିଲେ। ଏହା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା।ପୂର୍ବରୁ ଏହି ଦୁଇ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଗଞ୍ଜେଇ ଚାଷ କରିବାକୁ ୧ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ଅଢ଼େଇ ଲକ୍ଷ ଟଙ୍କା ସହ ପୋଲିସ ଅଭିଯୁକ୍ତମାନଙ୍କଠାରୁ ୨ଟି ମୋବାଇଲ ଏବଂ କାର ଜବତ କରିଛି। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜୟପୁର ସଦର ଥାନା ଅଧିକାରୀ ଈଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି।

Tags: #JeypurePolice #Koraput #Ganja #Arrest

Comment