ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜୟରୁ ଭାରତର ଅଭିଯାନ ଆରମ୍ଭ
  • ୩-୨ ଗୋଲ୍‌ରେ ଜର୍ମାନୀକୁ ହରାଇଲା ଭାରତ
  • ମ୍ୟାଚ୍ ଦେଖିବାକୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ୍ ଭିଡ଼

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍ ହକିର ଚଳିତ ସଂସ୍କରଣରେ ବିଜୟ ଅଭିଯାନରୁ ଲିଗ୍ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଶୁକ୍ରବାର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରୋ-ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ବିଶ୍ଵ ବିଜେତା ଜର୍ମାନୀ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ଜର୍ମାନୀକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି ଭାରତ। ଟିମ୍‌ ଇଣ୍ଡିଆ ପକ୍ଷରୁ ସର୍ବାଧିକ ଦୁଇଟି ଗୋଲ୍‌ ଦେଇ ସୁଖଜିତ ସିଂହ ମ୍ୟାନ୍ ଅଫ୍ ଦ ମ୍ୟାଚ୍‌ ହୋଇଛନ୍ତି।ମ୍ୟାଚ୍‌ର ପ୍ରଥମ କ୍ଵାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। କିନ୍ତୁ କେହି ଗୋଲ୍‌ ସ୍କୋର କରିବାରେ ସଫଳ ହୋଇନଥିଲେ। ମ୍ୟାଚ୍‌ର ୩୦ତମ ମିନିଟ୍‌ରେ ଅଧିନାୟକ ହର୍ମନପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣର୍‌କୁ ଚମତ୍କାର ଗୋଲ୍‌ରେ ପରିବର୍ତ୍ତନ କରି ଭାରତକୁ ୧-୦ର ଆଗୁଆ ରଖିଥିଲେ। ତୃତୀୟ କ୍ଵାର୍ଟର ଆରମ୍ଭ ହେବାର ମାତ୍ର ୨ ମିନିଟ୍‌ ପରେ ସୁଖଜିତ ସିଂହଙ୍କ ଷ୍ଟିକ୍‌ରୁ ଏକ ଫିଲ୍‌ଡ ଗୋଲ୍‌ ହୋଇଥିଲା। ସେହିପରି ମ୍ୟାଚ୍‌ର ୪୩ତମ ମିନିଟ୍‌ରେ ସୁଖଜିତ ଆଉ ଏକ ଗୋଲ୍‌ ଦେଇ ସ୍କୋର ୩-୦ରେ ପହଞ୍ଚାଇଥିଲେ।

ଅନ୍ୟପକ୍ଷେ ତୃତୀୟ କ୍ଵାର୍ଟରର ଶେଷ ମିନିଟ୍‌ରେ ଜର୍ମାନୀର ଫିଲିପ୍‌ ପଲ୍‌ କୌଫ୍‌ମାନ ଏକ ଗୋଲ୍‌ ସ୍କୋର କରିଥିଲେ। ଏହି କ୍ଵାର୍ଟରରେ ଜର୍ମାନୀ ଭାରତ ଉପରେ ଭାରି ପଡ଼ିଥିଲା। ମ୍ୟାଚ୍‌ର ୫୮ତମ ମିନିଟ୍‌ରେ ଜର୍ମାନୀର ମାଇକେଲ ଷ୍ଟ୍ରଥପ୍‌ ଏକ ଗୋଲ୍‌ ଦେଇ ସ୍କୋରକୁ ୨-୩ କରିଥିଲେ। ଶେଷ ଦୁଇ ମିନିଟ୍‌ରେ ଜର୍ମାନୀ ଭଲ ପ୍ରୟାସ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ ତାକୁ ବିଫଳ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଭାରତ ମ୍ୟାଚ୍‌କୁ ୩-୨ ଗୋଲ୍‌ରେ ଜିତି ନେଇଥିଲା।ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଭିଡ଼

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍ ହକିର ପ୍ରଥମ ମ୍ୟାଚ୍‌ରେ ହିଁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ଦର୍ଶକଙ୍କ ସୁଅ ଛୁଟିଥିଲା। ପାଖାପାଖି ପୂର୍ଣ୍ଣ ଦର୍ଶକରେ ମ୍ୟାଚ୍ ହୋଇଥିବା ଦେଖିବାକୁ ମିଳିଛି। ନିକଟରେ ନୂଆକରି ବନିଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ଵକପ୍ ହକି ଆୟୋଜିତ ହୋଇଥିଲା। ଦ୍ଵିତୀୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଭାବେ ପ୍ରୋ-ଲିଗ୍‌ର ସମସ୍ତ ମ୍ୟାଚ୍ ଏଠାରେ ଅନୁଷ୍ଠିତ ହେବ। ତେବେ ପ୍ରଥମ ମ୍ୟାଚ୍‌ରୁ ହିଁ ପ୍ରୋ-ଲିଗ୍ ହକି ପ୍ରତି ଦର୍ଶକଙ୍କ ବେଶ୍ ଭଲପାଇବା ଦେଖିବାକୁ ମିଳିଛି।

Tags: #FIHProLeagueHockey #Hockey #TeamIndia #HockeyIndia #IndvsGer #BirsaMundaHockeyStadium

Comment