ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିଏସନର (ଓସଜା) ପ୍ରତିଷ୍ଠା ଦିବସରେ ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ଦିଆଯାଇଛି। ମଙ୍ଗଳବାର କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ହକି ଖେଳାଳି ପିଟର ତିର୍କୀ ଓ ଆନ୍ତର୍ଜାତିକ ସାଇକ୍ଳିଷ୍ଟ ସ୍ଵସ୍ତି ସିଂହଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର ଭିନିଲ କ୍ରିଷ୍ଣା ମୁଖ୍ୟ ଅତିଥି ଭାବେ କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମଙ୍ଗଳବାର ଓସଜାର ବାର୍ଷିକ ଉତ୍ସବରେ ପିଟର ତିର୍କୀଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି ସାଇକ୍ଳିଷ୍ଟ ସ୍ଵସ୍ତି ସିଂହଙ୍କୁ ୨୦୨୨ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ଦିଆଯାଇଥିଲା। ଉଭୟଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ, ମାନପତ୍ର, ଟ୍ରଫି ଏବଂ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

“ଓଡ଼ିଶାରେ କ୍ରୀଡ଼ାର ସର୍ବାଙ୍ଗୀନ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରାଯାଉଛି। ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେଉଛି। ଏହାଛଡ଼ା କ୍ରୀଡ଼ା ପ୍ରତି ଯୁବପିଢ଼ୀଙ୍କ ଆଗ୍ରହ ସୃଷ୍ଟି ସକାଶେ ରାଜ୍ୟରେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଆଗକୁ ଓଡ଼ିଶାର ଖେଳାଳିମାନେ ଅଲିମ୍ପିକ ଭଳି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ବିଶ୍ଵାସ”, କହିଛନ୍ତି ଆର ଭିନିଲ କ୍ରିଷ୍ଣା।

ସେ ଆହୁରି ମଧ୍ୟ କହିଛନ୍ତି, “କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ବିକାଶରେ ସାମ୍ବାଦିକମାନଙ୍କ ବିଶେଷ ଭୂମିକା ରହିଛି। ସାମ୍ବାଦିକମାନେ ହିଁ ଜଣେ ଖେଳାଳିଙ୍କୁ ଲୋକଲୋଚନକୁ ଆଣିଥାନ୍ତି। ଓଡ଼ିଶାରେ ଖେଳାଳିମାନଙ୍କ ବିକାଶରେ ମଧ୍ୟ ଓସଜା ସକ୍ରିୟ ଭୂମିକା ଗ୍ରହଣ କରି ଆସୁଛି।”

ଓସଜାର ବାର୍ଷିକ ଉତ୍ସବରେ ସମ୍ମାନିତ ହୋଇଥିବା ଉଭୟ ପିଟର ତିର୍କୀ ଓ ସ୍ଵସ୍ତି ସିଂହ ନିଜ କ୍ରୀଡ଼ା ଜୀବନ ବିଷୟରେ କହିଥିଲେ। ସେମାନେ ପୁରସ୍କାର ପାଇଁ ଓସଜାକୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ଫୁଟବଲ ବିଜୟ ଦାସ ଅତିଥିଭାବେ ଯୋଗଦେଇ ୬୦ ଓ ୭୦ ଦଶକର ତାଙ୍କ ଖେଳ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓସଜାର ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଓ ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ ସଂଘର କାର୍ଯ୍ୟାବଳୀ ବାବଦରେ ସୂଚନା ଦେଇଥିଲା। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସନାତନ ପାଣି, ହିଂମାଶୁ ପତି, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ସୂର୍ଯ୍ୟ ରଥ, ଶକ୍ତି ପ୍ରକାଶ ନନ୍ଦ ଏବଂ ଓସଜାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Tags: #OSJA #AnnualAwardCeremony #PeterTirkey #SwastiSingh #SportsJournalist #Odisha

Comment