ସତୀଶ ଶର୍ମା

 ଅଶି ଦଶକରେ ଜାତୀୟସ୍ତରରେ ଓଡ଼ିଶା ହକିର ପରିଚୟ ପାଲଟିଥିବା ପିଟର ତିର୍କୀଙ୍କୁ ମିଳିପାରିନି ଉଚିତ ସମ୍ମାନ।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ପିଟର ତିର୍କୀ। ଜାତୀୟ ହକି ମାନଚିତ୍ରରେ ଓଡ଼ିଶାର ନାମକୁ ପ୍ରଥମଥର ପାଇଁ ସ୍ଥାପିତ କରିଥିବା ପିଟର ତିର୍କୀଙ୍କୁ କ୍ରୀଡ଼ାବିକାଶରେ ଜୀବନବ୍ୟାପୀ ସାଧନା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି।

ବିଳମ୍ବରେ ପୁରସ୍କାର ଦେବା ସହ ସରକାର ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ ନ କରି ତାଙ୍କଠାରୁ ଛୋଟ ଅନ୍ୟ ଜଣେ ଖେଳାଳିଙ୍କ ସହ ଯୁଗ୍ମ ଭାବେ ସମ୍ମାନ ପ୍ରଦାନ କରିଛନ୍ତି। କିନ୍ତୁ ଏହାକୁ ନେଇ ସରଳ ସ୍ୱଭାବର ପିଟରଙ୍କ ହୃଦୟରେ କୌଣସି ଦୁଃଖ ନାହିଁ। ସେ ପୁରସ୍କାର ପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଓଡ଼ିଶା ହକିକୁ ପିଟରଙ୍କ ଅବଦାନ

ଓଡ଼ିଶା ହକିର ଧ୍ଵଜବାହକ ପିଟର ୮୦ଦଶକରେ ଯେଉଁ ପରିସ୍ଥିତିରେ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ଅର୍ଜନ କରିଥିଲେ ତାକୁ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟ ଲାଗିବ। ସେ ସମୟରେ ରାଜ୍ୟରେ ହକି ପ୍ରଶିକ୍ଷଣ ପାଇଁ କୌଣସି ଛାତ୍ରାବାସ ନ ଥିଲା। ଗାଁର ଆବଡ଼ା ଖାବଡ଼ା ପଡ଼ିଆରୁ ଖେଳି, ବିନା କୌଣସି ଗଡଫାଦରର ସୁପାରିଶରେ ଜାତୀୟ ଦଳରେ ସ୍ଥାନ ପାଇବା କଳ୍ପନା ବାହାରେ ଥିଲା।ପିଟର ତିର୍କୀଙ୍କର ଏହି ଉପଲବ୍ଧି ନିଜ ପାଇଁ ଅସାଧାରଣ ହେବା ସହ ଓଡ଼ିଶା ହକିକୁ ଏକ ନୂଆ ଦିଗନ୍ତ ଦେଇଥିଲା। ଭାରତୀୟ ହକି ଚୟନକର୍ତ୍ତାମାନେ ପିଟରଙ୍କ ଜରିଆରେ ପ୍ରଥମେ ଓଡ଼ିଶାରେ ଥିବା ଅଗଣିତ ହକି ପ୍ରତିଭା ସମ୍ପର୍କରେ ଅବଗତ ହୋଇଥିଲେ। ଏହା ପୂର୍ବରୁ ସେମାନେ ଆଦିବାସୀ ହକି ଓ ହକି ପ୍ରତିଭା କହିଲେ ରାଞ୍ଚି ଅଞ୍ଚଳକୁ ହିଁ ବୁଝୁଥିଲେ।

୧୯୮୨ରେ ମାଲେସିଆରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ ହକି ଚାମ୍ପିୟନସିପରେ ଭାରତରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବାପରେ ରାଜ୍ୟ ସରକାରଙ୍କ ଧ୍ୟାନ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ହକି ପ୍ରତିଭାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲା। ଫଳରେ ରାଜ୍ୟରେ ନୂତନ କ୍ରୀଡ଼ା ଛାତ୍ରାବାସ ଯୋଜନାର ଶୁଭାରମ୍ଭ ହୋଇଥିଲା।

ଆଜି ଆମେ ଓଡ଼ିଶାବାସୀ ଯେଉଁ ହକି ପାଇଁ ଗର୍ବ ଅନୁଭବ କରିଛୁ ତା ପଛରେ ପିଟର ତିର୍କୀଙ୍କ ଅନେକ ଅବଦାନ ରହିଛି। ଏହା ଅବଶ୍ୟ ଏକ ପରିତାପର ବିଷୟ ଯେ ପରବର୍ତ୍ତୀ ସମୟରେ ପିଟର କେବେ ଆଉ ଜାତୀୟ ଦଳରେ ସ୍ଥାନ ପାଇପାରିଲେନାହିଁ। କିନ୍ତୁ ଏଥିପାଇଁ ପିଟରଙ୍କ ପ୍ରତିଭା ନୁହେଁ ବରଂ ରାଜନୀତି ଅଧିକ ଦାୟୀ।

ହାଇସ୍କୁଲରୁ ମିଳିଥିଲା ତାଙ୍କ କ୍ରୀଡ଼ା ଦକ୍ଷତାର ପରିଚୟ 

ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ ଅନ୍ତର୍ଗତ ରସରାଜପୁର ଗାଁରେ ୧୯ ଡିସେମ୍ବର ୧୯୬୨ ମସିହାରେ ପିଟର ତିର୍କୀ ଜନ୍ମଗ୍ରହଣ କରିଥିଲେ। ବାପା ସିଲବେରୀୟସ ତିର୍କୀ ଓ ମା’ କେଟରୀନା ତିର୍କୀଙ୍କ ଘରେ ଜନ୍ମିତ ପିଟର ରସରାଜପୁର ଓ ମୁଣ୍ଡାଗାଁରେ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ। ଏହାପରେ ସେ ହାଇସ୍କୁଲ ଶିକ୍ଷା ପାଇଁ ରାଜଗାଙ୍ଗପୁର ବ୍ଲକର କେସରାମାଲ ଗାଁକୁ ଯାଇଥିଲେ।

ସେଠାରେ ହିଁ ଜଣେ ଦକ୍ଷ ହକି ଖେଳାଳି ଭାବେ ତାଙ୍କର ବିକାଶ ହୋଇଥିଲା। ଗାଁର ଜଣେ ସ୍କୁଲ ଶିକ୍ଷକ ଜୋସେଫ ମିଞ୍ଜଙ୍କଠାରୁ ସେ ହକିର ମୌଳିକ କୌଶଳ ଶିଖିଥିଲେ। ହକି ଖେଳାଳି ସହ ସେ ଜଣେ ଆଥଲେଟ ମଧ୍ୟ ଥିଲେ। ପିଟରଙ୍କ ହାର୍ଡ ହିଟିଂ, ରିକଭରି, ସ୍ପିଡ ଏବଂ ଷ୍ଟାମିନା ଦେଖି ଜୋସେଫ ମିଞ୍ଜ ତାଙ୍କୁ ଲେଫ୍ଟ ବ୍ୟାକ୍ ପୋଜିସନରେ ଖେଳିବାର ପରାମର୍ଶ ଦେଇଥିଲେ।

ସେ ସମୟରେ ରାଜ୍ୟରେ ପ୍ରଶିକ୍ଷଣ ପାଇଁ କୌଣସି ହକି ଛାତ୍ରାବାସ ନ ଥିଲା। ତେଣୁ ନିଜ ପରିଶ୍ରମ, ମନୋବଳ ଓ ଶିଖିବାର ଇଛାଶକ୍ତି ବ୍ୟତୀତ ହକି କୌଶଳକୁ ଶାଣିତ କରିବାର ଅନ୍ୟ ଉପାୟ ନଥିଲା। ନିଜର ହକି ଦକ୍ଷତା ସକାଶେ ସେ କମ ବୟସରେ ଆଖପାଖ ଅଞ୍ଚଳରେ ବେଶ ଲୋକପ୍ରିୟ ଖେଳାଳି ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

କେସରାମାଲ ସ୍କୁଲରେ ପଢ଼ୁଥିବା ବେଳେ ସେ ପ୍ରଥମେ ୧୯୭୬ରେ ଜାତୀୟ ସ୍କୁଲ ଗେମ୍ସରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ପରେ ହକି ଦକ୍ଷତା ପାଇଁ ସେ କାଂଶବାହାଲସ୍ଥିତ ଲାର୍ସନ-ଟୁବ୍ରୋ କମ୍ପାନୀରେ ଚାକିରି ପାଇଥିଲେ। ୧୯୮୦ରେ ସେ ପ୍ରଥମଥର ପାଇଁ ଓଡ଼ିଶା କନିଷ୍ଠ ଦଳ ଏବଂ ୧୯୮୧ରେ ବରିଷ୍ଠ ଦଳରେ ମନୋନୀତ ହୋଇଥିଲେ। ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ପାଇଁ ସେମିଫାଇନଲରେ ପ୍ରଵେଶ ପାଇଥିଲା।

ଓଡ଼ିଶା ହକି ଇତିହାସରେ ସ୍ଵର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଥିଲେ ପିଟର

ପିଟରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ତାଙ୍କ ପାଇଁ ଜାତୀୟ କନିଷ୍ଠ ପ୍ରଶିକ୍ଷଣ ଶିବିରକୁ ଆମନ୍ତ୍ରଣ ଆଣିଥିଲା। ଶିବିରରେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ ଜିଣି ସେ ୧୯୮୨ କନିଷ୍ଠ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମନୋନୀତ ହୋଇ ଓଡ଼ିଶା ହକିରେ ଏକ ନୂତନ ସ୍ଵର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଥିଲେ। ୧୯୮୮ରେ ପିଟର ଏଲଆଣ୍ଡଟି ଛାଡ଼ି ରାଉରକେଲା ଇସ୍ପାତ କାରଖାନାରେ ଯୋଗ ଦେଇଥିଲେ।

ପିଟର ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳପର୍ଯ୍ୟନ୍ତ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଛନ୍ତି। ସକ୍ରିୟ ହକିରୁ ବିଦାୟ ନେବା ପରେ ସେ ସେଲ୍ ହକି ଏକାଡେମୀରେ କୋଚ ଭାବେ କାର୍ଯ୍ୟରତ ରହିବା ପରେ ଗତବର୍ଷ ଡିସେମ୍ବରରେ ଅଵସର ନେଇଥିଲେ।

ହକି ପଡ଼ିଆରେ ସକ୍ରିୟ ଥିବା ସମୟରେ ସେ ସବୁବେଳେ ଜାତୀୟ ପ୍ରଶିକ୍ଷଣ ଶିବିରରେ ମନୋନୀତ ହେଉଥିଲେ। ସେଠାରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ସେ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହେଉଥିଲେ। ୧୯୮୪ରେ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଆୟୋଜିତ ଶିବିରରେ ପିଟର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜନୀତିର ଶିକାର ହୋଇ ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିଥିଲେ। ଫଳରେ ରାଜ୍ୟର ପ୍ରଥମ ଅଲିମ୍ପିକ୍ସ ଖେଳାଳି ହେବାର ସୌଭାଗ୍ୟରୁ ସେ ବଞ୍ଚିତ ହୋଇଥିଲେ।

ଶିବିରରେ କିମ୍ବଦନ୍ତୀ ଖେଳାଳି ମହମ୍ମଦ ଶାହୀଦ ତାଙ୍କର ରୁମମେଟ୍ ଥିଲେ। ଶାହୀଦ ପିଟରଙ୍କ ଚୟନକୁ ନେଇ ପୁରାପୁରି ନିଶ୍ଚିତ ଥିଲେ। ଯେତେବେଳେ ଦଳର ଘୋଷଣା ହେଲା ସେଥିରେ ପିଟରଙ୍କୁ ସାମିଲ ନକରାଯିବାରୁ ସେ କାନ୍ଦି ପକାଇଥିଲେ। କଟା ଘା’ରେ ଚୁନ ଦେଲା ଭଳି ଜଣେ ଚୟନକର୍ତ୍ତା ପିଟରଙ୍କୁ ସାନ୍ତ୍ୱନା ଦେଇ କହିଥିଲେ, “ଏବେ ତୁମେ ଯୁବକ ଅଛ, ପରବର୍ତ୍ତୀ ଅଲିମ୍ପିକ୍ସରେ ନିଶ୍ଚିତ ଭାବେ ସୁଯୋଗ ପାଇବ।” କିନ୍ତୁ ଅଲିମ୍ପିକ୍ସ ଦଳରେ ସ୍ଥାନ ନମିଳିବାରୁ ପିଟର ଭାଙ୍ଗି ପଡ଼ିଥିଲେ ଏବଂ ଭାବାବେଗରେ କେବେ ବି ଭାରତୀୟ ପ୍ରଶିକ୍ଷଣ ଶିବିରରେ ଆଉ ଯୋଗ ନଦେବାର କଡ଼ା ନିଷ୍ପତ୍ତି ନେଇଥିଲେ।

ପରେ ଅନେକ ଥର ତାଙ୍କୁ ପ୍ରଶିକ୍ଷଣ ଶିବିର ପାଇଁ ଡାକରା ମିଳିଲେ ମଧ୍ୟ ସେ ସେଥିରେ ଯୋଗ ଦେଇନଥିଲେ। ସେ ସବୁ ପ୍ରକାର ଯୋଗ୍ୟତା ଓ ଦକ୍ଷତା ରଖିକି ମଧ୍ୟ ବରିଷ୍ଠ ଭାରତୀୟ ଦଳରେ ଅଂଶ ହୋଇପାରିଲେନାହିଁ।

ଜଣେ ଦକ୍ଷ ଡିଫେଣ୍ଡର ଭାବେ ପିଟର ତିର୍କୀ ସାରା ଦେଶରେ ସୁନାମ ଅର୍ଜନ କରିଥିଲେ। ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା କିମ୍ବା ରାଉରକେଲା ଦଳ ପାଇଁ ଖେଳୁଥିବା ବେଳେ ତାଙ୍କର କୌଶଳ, ନୈପୁଣ୍ୟକୁ ଦେଖି ବରିଷ୍ଠ ଖେଳାଳି ଓ ଅଧିକାରୀ ତାଙ୍କୁ ଜାତୀୟ ଶିବିରରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ହେଲେ ପିଟର ତାଙ୍କର ନଯିବାର ନିଷ୍ପତ୍ତି ଉପରେ ଅଟଳ ରହିଥିଲେ।

ମ୍ୟାଚରେ ମୁଁ ସୁରଜିତ ସିଂହଙ୍କ ଭାବଭଙ୍ଗୀ ଦେଖି ଡରିଯାଇଥିଲି

ସତୁରି ଓ ଅଶି ଦଶକରେ ସୁରଜିତ ସିଂହ ବିଶ୍ୱ ହକିରେ ଏକ ଚର୍ଚ୍ଚିତ ନାମ ଥିଲେ। ବିଶ୍ୱସ୍ତରରେ ସେ ତାଙ୍କର ଶକ୍ତିଶାଳୀ ପେନାଲ୍ଟିକର୍ଣ୍ଣର ସଟ ନେବା ପାଇଁ ବିଖ୍ୟାତ ଥିଲେ। ତାଙ୍କର ସଟକୁ ଅଟକାଇବା ଅସମ୍ଭବ ମନେ କରାଯାଉଥିଲା। ଥରେ ଆନ୍ତଃଆଞ୍ଚଳିକ ହକି ପ୍ରତିଯୋଗିତାରେ ପିଟର ସୁରଜିତ ସିଂହଙ୍କ ସମ୍ମୁଖୀନ ହୋଇଥିଲେ। ପିଟର ଦକ୍ଷିଣାଞ୍ଚଳ ତରଫରୁ ଖେଳୁଥିବାବେଳେ ସୁରଜିତ ସିଂହ ଉତ୍ତରାଞ୍ଚଳ ଦଳର ସଦସ୍ୟ ଥିଲେ।

ଉତ୍ତରାଞ୍ଚଳକୁ ଗୋଟିଏ ପେନାଲଟି କର୍ଣ୍ଣର ମିଳିଥିଲା। ସୁରଜିତ ସିଂହ ସଟ ନେବା ପାଇଁ ଆସିଲେ। ପିଟର ଗୋଲ ଲାଇନରେ ରକ୍ଷଣ ପାଇଁ ଛିଡ଼ା ହୋଇଥିଲେ। ସୁରଜିତ ସିଂହ ଶକ୍ତିଶାଳୀ ହିଟ ନେଲେ, ଭାବିଲେ ଗୋଲ ହୋଇଗଲା। କିନ୍ତୁ ପିଟର ତାଙ୍କ ସଟକୁ ନିଜ ଷ୍ଟିକରେ ଅଟକାଇ ବଲକୁ କ୍ଲିୟର କରିବା ପାଇଁ ଜୋରଦାର ରିଟର୍ଣ୍ଣ ସଟ ମାରିଲେ, ଯାହା ସୁରଜିତଙ୍କ ଗୋଡ଼ରେ ବାଜିଲା। ସେ ଚିତ୍କାର କରି ପକାଇଥିଲେ। ଏହା ପରେ ସୁରଜିତ ପିଟରଙ୍କୁ କ୍ରୋଧରେ ଅନାଇଥିଲେ।

ଏହି ଘଟଣାକୁ ନେଇ ପିଟର କୁହନ୍ତି, “ମ୍ୟାଚରେ ମୁଁ ତାଙ୍କର ଭାବଭଙ୍ଗୀ ଦେଖି ଡରିଯାଇଥିଲି। ସନ୍ଧ୍ୟାରେ ସୁରଜିତ ସିଂହ ମୋତେ ଖୋଜୁ ଖୋଜୁ ଆମର ରହିବା ସ୍ଥାନକୁ ଆସି ଡାକିବା ଆରମ୍ଭ କଲେ “କାଳୁ କଁହା ହେ”? ସେ ମୋ ଦେହର କଳାରଙ୍ଗକୁ ଦେଖି କାଳୁ କହି ଡାକୁଥିଲେ। ତାଙ୍କର ହାତରେ ହକି ଷ୍ଟିକ୍ ଥିଲା। ମୁଁ ତାଙ୍କର ଉଗ୍ର ରୂପ ଦେଖି ଭୟରେ ଲୁଚି ଯାଇଥିଲି। ମୁଁ ଭାବିଲି ସେ ମୋ ଉପରେ ଆକ୍ରମଣ କରିବା ପାଇଁ ଆସିଛନ୍ତି। କିନ୍ତୁ ସେ ମୋତେ ଡାକିଲେ ଏବଂ ମୋର ପ୍ରଶଂସା କଲେ, ଏଥିସହ ସେ ମତେ ଚାରିଟି ହକି ଷ୍ଟିକ୍ ପ୍ରଦାନ କରିଥିଲେ। ଏ କଥାକୁ ମୁଁ ସବୁବେଳେ ମନେ ରଖିବି।”

ସେ ଆହୁରି ମଧ୍ୟ କହନ୍ତି, “ଅଵଶ୍ୟ ବରିଷ୍ଠ ଦଳରେ ନ ଖେଳିବାର କଥା ମୋତେ ବେଳେ ବେଳେ ବ୍ୟଥିତ କରେ। କିନ୍ତୁ ଏହା ହିଁ ଜୀବନ। ଯାହା ହୋଇପାରିଲା ନାହିଁ ତାକୁ ନେଇ ମନରେ କିଛି କଷ୍ଟ ନାହିଁ। କେବଳ ଏତିକି ଚାହେଁ ଯେଉଁମାନେ ପ୍ରତିଭାବାନ ଅଛନ୍ତି ତାଙ୍କ ସହ ପାତରଅନ୍ତର ନହେଉ। ଯୋଗ୍ୟ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁ ଏହାହିଁ କାମନା କରୁଛି।”

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #OdishaSports #PeterTirkey #OdishaHockey #HockeyIndia

Comment