ସତୀଶ ଶର୍ମା

ସାଇକ୍ଲିଂ ଜଗତରେ ନିଜର ପ୍ରତିଭା ବଳରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସ୍ଵସ୍ତି ସିଂହ। 

ସାଇକେଲ ଚାଳନାରେ ରାଷ୍ଟ୍ରୀୟ ସ୍ତରରେ ନୂଆ ତାରକା ଭାବେ ଉଭା ହୋଇଛନ୍ତି ସ୍ଵସ୍ତି ସିଂହ। ମିନାତୀ ମହାପାତ୍ରଙ୍କ ପରେ ରାଜ୍ୟର ନାମକୁ ସାଇକ୍ଲିଂରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚଇଥିବା ସ୍ଵସ୍ତି ବହୁମୁଖୀ ପ୍ରତିଭାର ଅଧିକାରିଣୀ। ନିକଟରେ ତାଙ୍କୁ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ବିଜୁ ପଟ୍ଟନାୟକ ପୁରୁସ୍କାର ମିଳିଛି।

ସ୍ଵସ୍ତିଙ୍କ ସାଇକ୍ଲିଂ କ୍ୟାରିୟର

ସ୍ଵସ୍ତି ସିଂହ ସାଇକେଲ ଚାଳନା କ୍ଷେତ୍ରରେ ଆସିବା ବୋଧ ହୁଏ ଈଶ୍ଵର ରଚିତ ଥିଲା। ଜଣେ ମେଧାବୀ ଛାତ୍ରୀ ହେବା ସହ ସେ ପିଲା ଦିନରୁ ନୃତ୍ୟ, ଗୀତ ଏବଂ କବାଡ଼ି ଓ ଦୌଡ଼ ଭଳି ଖେଳରେ ରୁଚି ରଖିଥିଲେ। ହେଲେ ଦିନେ ସାଇକ୍ଲିଂ ତାରକା ହୋଇ ଏତେ ବାଟ ଯିବେ ବୋଲି କେବେ ଚିନ୍ତା କରି ନଥିଲେ ସ୍ଵସ୍ତି।

୨୦୧୫ ମସିହା ସେପ୍ଟେମ୍ବର ମାସର କଥା। ରାଉରକେଲା ଇସ୍ପାତ କାରଖାନାର କ୍ରୀଡ଼ା ବିଭାଗ ପକ୍ଷରୁ ସାଇକେଲ ଚାଳନା ପ୍ରଶିକ୍ଷଣ ପାଇଁ ବିଜ୍ଞପ୍ତି ବାହାରି ଥିଲା। ସ୍ଵସ୍ତି କୌତୁହଳବଶତଃ ସାଇକ୍ଲିଂ ପ୍ରଶିକ୍ଷଣ ନେବାକୁ ଇଚ୍ଛା ପ୍ରକାଶ କରି ଏଥିରେ ପଞ୍ଜିକରଣ କରିଥିଲେ। ଏହାପରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଆସି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।

ସେଇଠି ସ୍ଵସ୍ତି ପ୍ରଥମଥର ପାଇଁ ସ୍ପୋର୍ଟସ ସାଇକେଲ ଚଳାଇବାର ଅନୁଭବ ପାଇଥିଲେ। ଏହା ତାଙ୍କ ମନକୁ ଏମିତି ଛୁଇଁଲା ଯେ, ସେ ଶିବିରକୁ ନିୟମିତ ଆସି ସାଇକ୍ଲିଂ ଆରମ୍ଭ କଲେ। ପୂର୍ବ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ଓ କୋଚ୍ ସୁଶୀଲ କୁମାର ଦାସ ତାଙ୍କୁ ସାଇକେଲ ଚାଳନାର ଉତ୍ତମ କୌଶଳ ଶିଖାଇବା ଆରମ୍ଭ କଲେ।

ଏହାର ମାତ୍ର ଦୁଇ ମାସ ପରେ ନଭେମ୍ବର ୨୦ ରୁ ୨୨ ତାରିଖ ଯାଏଁ କଟକରେ ଟାଙ୍ଗିସ୍ଥିତ ଡ୍ରିମ୍ସ କଲେଜ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ ପ୍ରତିଯୋଗିତା। ଏହି ଟୁର୍ଣ୍ଣାମେଣ୍ଟରେ ରାଉରକେଲାର ପ୍ରତିଯୋଗୀମାନେ ୯ଟି ସ୍ଵର୍ଣ୍ଣ ପଦକ ଜିତିଥିଲେ। ଏଥିରେ ସର୍ବାଧିକ ଅବଦାନ ରହି ଥିଲା ସ୍ଵସ୍ତି ସିଂହଙ୍କର। ସେ ଚମତ୍କାର ପ୍ରଦର୍ଶନ କରି ଏକାକୀ ୪ଟି ସ୍ଵର୍ଣ୍ଣ ପଦକ ଜିତିଥିଲେ।

ସେହି ପ୍ରତିଯୋଗିତାରେ ୧୪ ବର୍ଷୀୟ ସ୍ଵସ୍ତି ୧୭ ଏବଂ ୧୯ ବର୍ଷ ବୟସ ବର୍ଗରେ ଅଂଶଗ୍ରହଣ କରି ନିଜଠାରୁ ବଡ଼ ଖେଳାଳିମାନଙ୍କୁ ପଛରେ ପକାଇ ରାଜ୍ୟ ଚାମ୍ପିୟନ ହୋଇଥିଲେ। ଏହି ସଫଳତା ତାଙ୍କ ଅନ୍ତର୍ନିହିତ ପ୍ରତିଭା ଓ କ୍ଷମତା ଦର୍ଶାଇବା ସହ ତାଙ୍କର ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ନିଜ କ୍ଷମତା ସମ୍ପର୍କରେ ଅବଗତ ହେବାପରେ ସେ ଭବିଷ୍ୟତରେ ସାଇକ୍ଲିଂକୁ ହଁ କ୍ୟାରିୟର କରିବେ ମନସ୍ଥ କଲେ।

ଜାତୀୟ ଓ ଅନ୍ତର୍ଜାତୀୟ ପଦାର୍ପଣ

ସାଇକ୍ଲିଂରେ ରାଜ୍ୟସ୍ତରରେ ଅଦ୍ଭୂତପୂର୍ବ ସଫଳତାପରେ ରାଉରକେଲା ଇସ୍ପାତ କାରଖାନାରେ କାର୍ଯ୍ୟରତ ଅମର ସିଂହ ଏବଂ ମାଁ ଉମାଦେବୀଙ୍କ ଝିଅ ସ୍ଵସ୍ତି ଆଉ ପଛକୁ ଫେରି ଚାହିଁନଥିଲେ। ନିଜକୁ ଓଡ଼ିଶାର ଶ୍ରେଷ୍ଠ ମହିଳା ସାଇକ୍ଳିଷ୍ଟ ଭାବେ ପ୍ରତିପାଦିତ କରିବା ପରେ ସେ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ।

୨୦୧୮ ମସିହାରେ ହରିୟଣାର କୁରୁକ୍ଷେତ୍ରରେ ଆୟୋଜିତ ୨୩ତମ ରାଷ୍ଟ୍ରୀୟ ରୋଡ ସାଇକ୍ଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୧୫ କିଲୋମିଟର ବ୍ୟକ୍ତିଗତ ଟାଇମ ଟ୍ରାଇଲ ମୁକାବିଲାରେ ନିଜର ପ୍ରଥମ ଜାତୀୟ ପଦକ ହାତେଇବାରେ ସଫଳ ହୋଇଥିଲେ ସ୍ଵସ୍ତି।

ସେହିବର୍ଷ ସ୍ଵସ୍ତି ସିଂହ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଅନୁଷ୍ଠିତ ପଞ୍ଚମ ଏସିଆନ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ପ୍ରଥମ ଅନ୍ତର୍ଜାତୀୟ ପଦକ ମଧ୍ୟ ହାସିଲ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଜୁନିୟର ୨ କିଲୋମିଟର ବ୍ୟକ୍ତିଗତ ପର୍ସୟୁଟ୍ ଇଭେଣ୍ଟରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ସେହିପରି ସେ ୨୦୧୯ର ଏସିଆନ ଟ୍ରାକ୍ ସାଇକ୍ଲିଂ ଟୁର୍ଣ୍ଣାମେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହାସହ ୨ କିଲୋମିଟର ବ୍ୟକ୍ତିଗତ ପର୍ସୟୁଟ୍ ଇଭେଣ୍ଟରେ ୨ ମିନିଟ ୩୫.୧୬୧ ସେକେଣ୍ଡର ନୂଆ ଜାତୀୟ ରେକର୍ଡ ସ୍ଥାପିତ କରିଥିଲେ।

ପରବର୍ତ୍ତୀ ସମୟରେ ସେ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷିଣ ଏସିଆ ଗେମ୍ସରେ ବ୍ୟକ୍ତିଗତ ରୋଡ ରେସ ସାଇକ୍ଲିଂ ଇଭେଣ୍ଟରେ ରୌପ୍ୟ ପଦକ ହାସିଲ କରିଥିଲେ। ସେହିପରି ୨୦୨୦ ମସିହାର ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ସ୍ଵସ୍ତି ୨୧ ବର୍ଷ ବୟସ ବର୍ଗରେ ଦୁଇଟି ସ୍ଵର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

 

ସ୍ଵସ୍ତିଙ୍କୁ ମିଳିଥିବା ପୁରସ୍କାର ଓ ସମ୍ମାନ

୨୨ ବର୍ଷୀୟ ସ୍ଵସ୍ତି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସମେତ ୪ଟି ପଦକ ଜିତିବା ସହ ଜାତୀୟ ସ୍ତରରେ ମୋଟ ୧୯ଟି ପଦକ ହାସଲ କରିଛନ୍ତି। ତାଙ୍କର ସଫଳତା ପାଇଁ ୨୦୨୨ରେ ତାଙ୍କୁ ଇମ୍ଫା ପକ୍ଷରୁ ଏକଲବ୍ୟ ପୁରୁସ୍କାର ମିଳିଥିଲା।

ଚଳିତବର୍ଷ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ତରଫରୁ ସ୍ଵସ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏବେ ୨୯ ଅଗଷ୍ଟ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ ଘୋଷିତ କରି ମର୍ଯ୍ୟାଦାଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରୁସ୍କାର ପ୍ରଦାନ କରିଛନ୍ତି।

ଭବିଷ୍ୟତର କ୍ରୀଡ଼ା ଯାତ୍ରା

ଜାତୀୟ ତଥା ଅନ୍ତର୍ଜାତୀୟ ପଦକ ଓ ପୁରୁସ୍କାର ସ୍ଵସ୍ତିଙ୍କ ମନକୁ ସନ୍ତୁଷ୍ଟ କରି ପାରିନାହିଁ। ‘ୟେ ଦିଲ ମାଙ୍ଗେ ମୋର’ ଉକ୍ତିକୁ ହୃଦୟଙ୍ଗମ କରିଥିବା ସ୍ଵସ୍ତି ଆଗକୁ ବଡ଼ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ଵ କରି ପଦକ ଜିତିବା ଲକ୍ଷ୍ୟରେ ରହିଛନ୍ତି।

ଭବିଷ୍ୟତର ପ୍ରତିଯୋଗିତା ପାଇଁ ଅଧିକରୁ ଅଧିକ ପରିଶ୍ରମ କରୁଥିବା ସ୍ଵସ୍ତି କହିଛନ୍ତି, “ମୋର ପୁରା ଫୋକସ ଏବେ ସାଇକ୍ଲିଂ ଉପରେ ହିଁ ଅଛି। ଅନ୍ୟ କୌଣସି ଜିନିଷ ମୋର ମସ୍ତିଷ୍କରେ ନାହିଁ। ଅଧିକରୁ ଅଧିକ ଦେଶରେ ବିଭିନ୍ନ ସାଇକ୍ଲିଂ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରି ସଫଳତା ହାସଲ କରିବା ହିଁ ମୋର ଲକ୍ଷ୍ୟ।”

ଚୀନର ହାଙ୍ଗଝୋଉଠାରେ ଆସନ୍ତା ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ୧୯ତମ ଏସିଆନ ଗେମ୍ସ ପାଇଁ ଭାରତୀୟ ସାଇକ୍ଲିଂ ଦଳରେ ସ୍ଥାନ ପାଇବା ପାଇଁ ସେ ଅକ୍ଲାନ୍ତ ପରିଶ୍ରମ କରିଥିଲା। ହେଲେ ଦଳରେ ସ୍ଥାନ ହାସଲ କରିବାରେ ଅସଫଳତା ଏବେ ତାଙ୍କୁ ଅଳ୍ପ ଟିକେ ହତାଶ କରିଛି। ହେଲେ ସ୍ଵସ୍ତି ମନୋବଳ ନହରାଇ ଆହୁରି ଅଧିକ ପରିଶ୍ରମ କରି ଭାରତୀୟ ଦଳରେ ଫେରିବେ ବୋଲି କହିଛନ୍ତି।

ରାଉରକେଲାରେ ସ୍ଵସ୍ତିଙ୍କ ପ୍ରଥମ କୋଚ୍ ସୁଶୀଲ କୁମାର ଦାସଙ୍କ ମନରେ ତାଙ୍କ ପ୍ରତିଭାକୁ ନେଇ କୌଣସି ସନ୍ଦେହ ନାହିଁ। ସେ କହିଛନ୍ତି, “ସ୍ଵସ୍ତି ପ୍ରତିଭାବାନ ହେବା ସହ ଜଣେ ଦୃଢ଼ମନା ସାଇକ୍ଳିଷ୍ଟ। ପରିଶ୍ରମ କରିବା ପାଇଁ ତାଙ୍କର କ୍ଷମତା ଅଛି। ମୋର ଦୃଢ଼ ବିଶ୍ୱାସ ସେ ଏ ଯାଏଁ ଯେତିକି ସଫଳତା ହାସଲ କରିଛି ଭବିଷ୍ୟତରେ ତା’ ଠାରୁ ଅନେକ ଆଗକୁ ଯିବେ।”

୨୦୧୭ ମସିହାରୁ ସ୍ଵସ୍ତି ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସାଇକ୍ଲିଂ ଏକାଡେମୀକୁ ମନୋନୀତ ହୋଇ ଏବେ ସେଇଠି ଜାତୀୟ ପ୍ରଶିକ୍ଷକମାନଙ୍କ ତତ୍ତ୍ଵାବଧାନରେ ଅଭ୍ୟାସ କରୁଛନ୍ତି। କ୍ରୀଡ଼ା ଜୀବନରେ ଗୋଟେ ପରେ ଗୋଟେ ପାହାଚ ଅତିକ୍ରମ କରି ଆଜି ସେ ଜଣେ ଶ୍ରେଷ୍ଠ ମହିଳା ସାଇକ୍ଲିଷ୍ଟ ଭାବେ ନିଜକୁ ଗଢ଼ି ପାରିଛନ୍ତି।

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

Tags: #SwastiSingh #Cyclist #Cycling #Sports #Odisha

 

Comment