ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏଣିକି ଠକି ଦେଇ ଖସି ଯାଇପାରିବେନି ବିଲ୍ଡର
  • ରାଜ୍ୟରେ ଜମିଜମା ଓ ଘର କିଣାବିକା ହେବ ନିୟନ୍ତ୍ରିତ
  • ଘର ମାଲିକଙ୍କ ଅଧିକାରକୁ ମିଳିବ ସୁରକ୍ଷା
  • ଆପାର୍ଟମେଣ୍ଟଗୁଡ଼ିକରେ ସୋସାଇଟି ପଞ୍ଜିକରଣ ହେବ ବାଧ୍ୟତାମୂଳକ

ସାବଧାନ ଅସାଧୁ ବିଲ୍ଡର। ଏବେ ରାଜ୍ୟରେ ଜମିଜମା ଓ ଘର କିଣାବିକାରେ ଥିବା ଅନିୟମିତତାକୁ ବନ୍ଦ କରିବାପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିଲାଗି ଆସିବାକୁ ଯାଉଛି ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଲ୍, ୨୦୨୩। ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ସୋମବାର ବିଧାନସଭାରେ ଏହି ବିଲ୍ ଆଗତ କରିଛନ୍ତି।

ବିଧାନସଭାରେ ଆଗତ ହେବାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଛନ୍ତି। ରାଜ୍ୟ ସରକାର  ଶୀଘ୍ର ଏହି ବିଲ୍ ପାରିତ କରିବାକୁ ଯୋଜନା କରିଛନ୍ତି। ଏହି ବିଲ୍‌ ପାରିତ ହେଲେ ଓଡ଼ିଶାରେ ଆପାର୍ଟମେଣ୍ଟ କିଣାବିକା ସହଜ ଓ ସରଳ  ହୋଇପାରିବ। ଏଥିରେ ଘର ମାଲିକଙ୍କ ଅଧିକାରଗୁଡ଼ିକୁ ସୁରକ୍ଷା ମିଳିବ।

ସମସ୍ତ ସ୍ଥିତିବାନ ଜମି ଓ ୩୦ ବର୍ଷରୁ ଅଧିକ ଅବଧି ପାଇଁ ଲିଜରେ ନିଆଯାଇଥିବା ଜମିରେ ନିର୍ମିତ ଆପାର୍ଟମେଣ୍ଟ ଏହି ନୂତନ ଅଧିନିୟମର ଅନ୍ତର୍ଭୁକ୍ତ ହେବ। ଏହା ସମସ୍ତ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ କ୍ଷେତ୍ରରେ ଲାଗୁହେବ। ଅନ୍ୟପଟେ କୌଣସି ସରକାରୀ କାର୍ଯ୍ୟାଳୟର କିମ୍ବା ଉଦ୍ୟୋଗର କୋଠା ଓ କୌଣସି ଭଡ଼ାରେ ଲାଗିଥିବା ଘର ଏହି ଆପାର୍ଟମେଣ୍ଟ ବିଲର ଅନ୍ତର୍ଭୁକ୍ତ ହେବ ନାହିଁ।

ଏହି ନୂଆ ବିଲ୍ ଅନୁସାରେ କୌଣସି ଆପାର୍ଟମେଣ୍ଟ ପ୍ରକଳ୍ପରେ ୫୦ ପ୍ରତିଶତ ବାସଗୃହ କ୍ରେତା କିମ୍ବା ଅତିକମରେ ୭ ଜଣ କ୍ରେତା ହେବା ପରେ ହିଁ ସେମାନଙ୍କ ଆସୋସିଏସନ୍ ଗଠନ ହୋଇପାରିବ। ତେବେ ଗୋଟିଏ ପ୍ରକଳ୍ପରେ ମାତ୍ର ଗୋଟିଏ ହିଁ ଆସୋସିଏସନ୍ ହୋଇପାରିବ। ଏହାଛଡ଼ା ଅକ୍ୟୁପେନ୍ସି ସାର୍ଟିଫିକେଟ୍, ଓରେରା ସାର୍ଟିଫିକେଟ୍ ଓ କ୍ରେତାଙ୍କ ଆସୋସିଏସନ ଥିବା ଆପାର୍ଟମେଣ୍ଟର ହିଁ ରେଜିଷ୍ଟ୍ରେସନ ହୋଇପାରିବ।

ଅନ୍ୟପଟେ ନୂଆ ବିଲ୍ ଅନୁସାରେ ଆପାର୍ଟମେଣ୍ଟ ମାଲିକମାନେ ପ୍ରକଳ୍ପରେ ଅନ୍ୟ କୌଣସି ନୂତନ ନିର୍ମାଣ କରିପାରିବେ ନାହିଁ। ଏଥିଲାଗି ସେମାନଙ୍କୁ ବାସଗୃହ କ୍ରେତା ଆସୋସିଏସନର ଅନୁମତି ନେବାକୁ ହେବ। ଏହାଛଡ଼ା ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ବା କମନ ଏରିଆ ପାଇଁ ଧାର୍ଯ୍ୟ ଦେୟ ଆପାର୍ଟମେଣ୍ଟ ମାଲିକମାନେ ପୈଠ କରିବେ।

Tags: #OdishaApartmentBill #Apartments #HousingAndUrbanDevelopmentDept #Odisha

 

Comment