ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସହରାଞ୍ଚଳରେ ସର୍ବସାଧରଣଙ୍କ ଲାଗି ରହିଥିବା ଶୌଚାଳୟଗୁଡ଼ିକୁ ଏଣିକି ଲୋକେ ମାଗଣାରେ ବ୍ୟବହାର କରିପାରିବେ। ସୋମବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଲୋକଙ୍କ ମଧ୍ୟରେ ଏହି ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିଶନର ଏବଂ ମ୍ୟୁନିସପାଲଟି ତଥା ଏନ୍‌ଏସିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ରାଜ୍ୟର ସମସ୍ତ ସର୍ବସାଧାରଣ ଶୌଚାଳୟଗୁଡ଼ିକ ସମ୍ମୁଖରେ ମାଗଣା ବ୍ୟବହାର ଦର୍ଶାଉଥିବା ଫଳକ ଲଗାଇବା ପାଇଁ ଜାରି ହୋଇଥିବା ନିର୍ଦେଶରେ କୁହାଯାଇଛି। ଏହି ଶୌଚାଳୟ ପରିଚାଳନା ପାଇଁ ଖର୍ଚ୍ଚ ହେବକୁ ଥିବା ଅର୍ଥ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ପାଣ୍ଠିରୁ ଭରଣା କରାଯିବ।

ଯଦି କୌଣସି ଶୌଚାଳୟରେ ଟଙ୍କା ଦେବାକୁ ବାଧ୍ୟ କରାଯାଏ, ତା’ହେଲେ ଲୋକଙ୍କୁ ନଗର ଉନ୍ନୟନ ବିଭାଗର ‘ମୋ ସହର ସରକାର’ ହେଲପଲାଇନ ନମ୍ବର ୦୬୭୪-୨୩୯୧୩୯୫ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Tags: #PublicToilets #Cities #HousingandurbanDevelopmentDept #Odisha

Comment