ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରକୋପ ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ଵର ଏବେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଆହୁରି ୩ରୁ ୪ ଦିନ ଗ୍ରୀଷ୍ମ ପ୍ରକୋପ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ରାଜଧାନୀ ଭୁବନେଶ୍ଵରରେ ସକାଳ ୮ଟା ସୁଦ୍ଧା ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ଭୁବନେଶ୍ଵରରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ, ଚାନ୍ଦବାଲିରେ ୩୭.୮ ଡିଗ୍ରୀ, ବାଲେଶ୍ଵରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୨ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ ଏବଂ ପାରାଦୀପରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୋମବାର ଦିନ ଝାରସୁଗୁଡ଼ା ସବୁଠାରୁ ଉତପ୍ତ ସହର ଥିଲା। ଏଠାରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ା ପରେ ବାରିପଦାରେ ମଧ୍ୟ ତାପମାତ୍ରା ଅଧିକ ରହିଥିଲା। ଏଠାରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି, ଲେମ୍ବୁପାଣି, ତୋରାଣି, ଘୋଳ ଦହି, ଆଖୁରସ, ପଇଡ଼ ପାଣି, ଓଆରଏସ, ବେଲପଣା ଏବଂ ଲସି ଆଦି ପିଇବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଖରାରେ ବାହାରକୁ ଯାଉଥିଲେ ସାଙ୍ଗରେ ଛତା, ଜୋତା, ପାଣି ବୋତଲ ନେଇ ଯିବାକୁ କୁହାଯାଇଛି।

ଏହା ସହିତ ଖରା ଦାଉରୁ ରକ୍ଷା ପାଇବା ପାଇଁ ହାଲୁକା ରଙ୍ଗର ସୁତା କପଡ଼ା ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ଅତି ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ଖରାରେ ବାହାରକୁ ନବାହାରିବା ଲାଗି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ରହିଛି।

Tags: #Weather #WeatherUpdates #SummerHeat #HighestHeatofSummer #Odisha #Bhubaneswar

Comment