ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ବୁଧବାର ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ସହ ଗାଡ଼ିମୋଟର ଭଙ୍ଗାରୁଜା କରିଥିଲେ। ଏବେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଗୁରୁବାର ସକାଳ ୧୦ଟାରୁ ୪୮ ଘଣ୍ଟା ଯାଏଁ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଇଣ୍ଟରନେଟ ବନ୍ଦ କରାଯାଇଛି। ଏହାଛଡ଼ା ସମ୍ବଲପୁରରେ ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟ୍ଵିଟର ଆଦି ସେବା ଉପରେ ମଧ୍ୟ ରୋକ ଲଗାଯାଇଛି। ସମ୍ବଲପୁର ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ବ୍ୟପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ବୁଧବାର ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ସହରର ଧନୁପାଲି ଛକଦେଇ ଯିବା ସମୟରେ ଏଥିରେ ସାମିଲଥିବା ଲୋକ ଓ ପୋଲିସ କର୍ମୀଙ୍କ ଉପରକୁ ପଥରମାଡ଼ ହୋଇଥିଲା। ଏହି ଘଟଣାରେ ୨ ଜଣ ଥାନା ଅଧିକାରୀଙ୍କ ସହ ଅନେକ ଲୋକ ଆହତ ହୋଇଥଲେ।

ଏହାପରେ ଉତ୍ୟକ୍ତ ଲୋକମାନେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ କିଛି ଗାଡ଼ି ଜାଳି ଦେଇଥିଲେ। ଏହାଦ୍ଵାରା ଅଞ୍ଚଳରେ ଉତ୍ତେଜନାର ମାହୋଲ ସୃଷ୍ଟି ହୋଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲଗାଯାଇଥିଲା। ଅନ୍ୟପଟେ ଏହି ଘଟଣାର ପୋଲିସ ପକ୍ଷରୁ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ଏବଂ ଆଉ କିଛି ଲୋକଙ୍କୁ ଅଟକ ରଖାଯାଇଛି।

Tags: #SambalPur #InternetShutdown #BikeRally #Stonepelting #Disturbance

Comment