ଓଡ଼ିଶାଲାଇଭ୍ ବ୍ୟୁରୋ

 

 

ନାଇଜେରିଆର ରାଜଧାନୀ ଲାଗୋସରେ ଥିବା ଜଗନ୍ନାଥ ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏପ୍ରିଲ ମାସ ୭ ତାରିଖରୁ ୯ ତାରିଖ ଯାଏଁ ୩ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥିଲା। ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ ପକ୍ଷରୁ ଏହାର ଆୟୋଜନ କରଯାଇଥିଲା।

ଏହି ପ୍ରତିଷ୍ଠା ଉତ୍ସବର କାର୍ଯ୍ୟକ୍ରମରେ ପୁରୀ ଜଗନ୍ନାଥ ମନ୍ଦିରର ରୀତିନୀତି ଅନୁସାରେ ପୂଜା ହୋଇଥିଲା। ଏଥିରେ ନାଇଜେରିଆରେ ଅବସ୍ଥାପିତ ଭାରତୀୟ କନସଲ୍ ଜେନେରାଲ ଚନ୍ଦ୍ରମୌଳି କୁମାର କର୍ଣ୍ଣ ପୂଜାକର୍ତ୍ତା ଭାବେ ଯୋଗଦେଇଥିଲେ।

 

 

“ନାଇଜେରିଆରେ ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ସହକାରେ ପୂଜା ହେବା ଆମ ପାଇଁ ଏକ ଗୌରବର ବିଷୟ। ଏଥିରେ ୩୦୦ରୁ ଅଧିକ ଓଡ଼ିଆ ଓ ଅଣଓଡ଼ିଆ ପରିବାର ଯୋଗ ଦେଇଛନ୍ତି। ଏଭଳି ଉତ୍ସବରେ ସାମିଲ ହୋଇ ମୁଁ ବହୁତ ଖୁସି”, କହିଛନ୍ତି ଚନ୍ଦ୍ରମୌଳି କୁମାର କର୍ଣ୍ଣ।

ଏହି ଉତ୍ସବର ପ୍ରଥମ ଦିନରେ ୧୦୮ ମହିଳାଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ହୋଇଥିଲା। ଏହି ଅବସରରେ ସବୁ ଲୋକଙ୍କ ପାଇଁ ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଥିଲା। ଅନ୍ୟପଟେ ଓଡ଼ିଆ ମହିଳା ସମାଜ ପକ୍ଷରୁ ଜଗନ୍ନାଥଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।

ଏହି ଉତ୍ସବରେ ଲଗୋସରେ ଭାତରୀୟ ବାଣିଜ୍ୟିକ ଦୂତାବାସର ଚାନ୍ସରି ହେଡ ଅଜୟ ଶର୍ମା, ଓଡ଼ିଆ ସମାଜର ସଭାପତି ରମେଶ ମଲ୍ଲିକ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଶିବଶଙ୍କର ସୁବୁଦ୍ଧି ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ୩ ହଜାରରୁ ଅଧିକ ଭାରତୀୟ ଓ ନାଇଜେରୀୟ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ।

୨୦୧୭ ମସିହାରେ ଲାଗୋସରେ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା କରଯାଇଥିଲା। ପୁରୀ ଶ୍ରୀମନ୍ଦିର କମିଟି ତତ୍ତ୍ଵାବଧାନରେ ଏହି ମନ୍ଦିରର ନିର୍ମାଣ ହୋଇଥିଲା। ପ୍ରତିବର୍ଷ ନାଇଜେରିଆ ଓଡ଼ିଆ ସମାଜ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି।

Tags: #JagannathTemple #Nigeria #Lagos #Foundationday #OdiaSamaj

 

Comment