ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନାରେ ସୈନିକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହୋଇଛି। ଏବେ ସୈନିକ ହେବାପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ହେବ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ହିଁ ପରବର୍ତ୍ତୀ ପର୍ଯ୍ୟାୟରେ ଶାରୀରିକ ପରୀକ୍ଷା ଦେବେ। ଶାରୀରିକ ଓ ମେଡିକାଲ ଯାଞ୍ଚରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ସେନାରେ ଭର୍ତ୍ତି କରାଯିବ।

ସୈନିକ ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରବେ। ଏଥିରେ ହୋଇଥିବା ବୈଧ ଆବେଦନକୁ ବିଚାରକୁ ନିଆଯାଇ ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା ପାଇଁ ଡକାଯିବ। ଏହାପରେ ୩ଟି ପର୍ଯ୍ୟାୟରେ ଲିଖିତ ପରୀକ୍ଷା କରାଯିବ। ଏଥିରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ଶାରୀରିକ ଓ ମେଡିକାଲ ପରୀକ୍ଷା ପାଇଁ ଚୟନ କରାଯିବ।

ପୂର୍ବରୁ ସେନାରେ ସୈନିକ ନିଯୁକ୍ତି ପାଇଁ ଆର୍ମି ରିକ୍ରୁଟମେଣ୍ଟ କେନ୍ଦ୍ର ପକ୍ଷରୁ ବିଭିନ୍ନ ସହରରେ ଭର୍ତ୍ତି ରାଲିର ଆୟୋଜନ କରାଯାଉଥିଲା। ଏଥିରେ ଆସିଥିବା ପ୍ରାର୍ଥୀମାନଙ୍କ ପ୍ରଥମେ ଶାରୀରିକ ପରୀକ୍ଷା ହେଉଥିଲା। ଶାରୀରିକ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ପରେ ଲିଖିତ ପରୀକ୍ଷା ଦେବାକୁ ପଡ଼ୁଥିଲା।

ଚଳିତ ବର୍ଷ ଏପ୍ରିଲ ୧୭ ତାରିଖରୁ ଭାରତୀୟ ସେନାରେ ସୈନିକ ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ଏପ୍ରିଲ ୨୬ ତାରିଖ ଯାଏଁ ଚାଲିବ। ଏଥିଲାଗି ଭାରତର ୧୭୬ଟି ସହରରେ ୩୬୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ସେହିପରି ଓଡ଼ିଶାରେ ମଧ୍ୟ ଭାରତୀୟ ସେନା ପକ୍ଷରୁ ୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ଵର ଓ ବ୍ରହ୍ମପୁରରେ ୨ଟି କେନ୍ଦ୍ର ରହିଥିବାବେଳେ ଢେଙ୍କାନାଳ, ବାଲେଶ୍ଵର, ସମ୍ବଲପୁର ଓ ରାଉରକେଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି।

Tags: #IndianArmy #SepoyRecruitment #WrittenTest #Examination #India

 

LEAVE A REPLY

Please enter your comment!
Please enter your name here