ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବିବାହ ବିଚ୍ଛେଦକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଭବିଷ୍ୟତରେ ଦମ୍ପତ୍ତିଙ୍କ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ନ୍ୟାୟାଳୟ ତତ୍କାଳ ବିବାହକୁ ରଦ୍ଦ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଉ ୬ ମାସ ଅପେକ୍ଷା ନକରି ସମ୍ବିଧାନର ଧାରା ୧୪୨ ଆଧାରରେ ତତ୍କାଳ ଛାଡ଼ପତ୍ର ମିଳିପାରିବ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଯଦି ବିବାହ ବିଚ୍ଛେଦ ଶୁଣାଣି ବେଳେ କୋର୍ଟରେ ଉଭୟ ପକ୍ଷ କିମ୍ବା କୌଣସି ଗୋଟିଏ ପକ୍ଷ ସେମାନଙ୍କ ଭବିଷ୍ୟତ ସମ୍ବନ୍ଧରେ ସୁଧାର ହୋଇପାରିବ ନାହିଁ ବୋଲି ପ୍ରମାଣ ଦେବେ, ତେବେ ତତ୍କାଳ ଛାଡ଼ପତ୍ର ବା ଇନ୍ସାଣ୍ଟ ଡିଭୋର୍ସ ମିଳିଯିବ। ଅନ୍ୟପଟେ ଏହି ବ୍ୟବସ୍ଥାକୁ ଅତି ସଞ୍ଜମର ସହ ବ୍ୟବହାର କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି।

ବର୍ତ୍ତମାନ ଭାରତରେ ଧାରା ୧୪୩ ଅନୁସାରେ ପାରସ୍ପରିକ ସମ୍ମତି ଦ୍ଵାରା ଛାଡ଼ପତ୍ର ପାଇଁ ଦମ୍ପତ୍ତିଙ୍କୁ ବାଧ୍ୟତାମୂଳକ ୬ ମାସ ଅପେକ୍ଷା କରିବାକୁ ପଡ଼ୁଛି। ପୂର୍ବରୁ ପ୍ରଚଳିତ ଏହି ନିୟମ ଏବେ ମଧ୍ୟ ବଳବତ୍ତର ରହିବ। ତେବେ ଦମ୍ପତ୍ତିଙ୍କୁ ତତ୍କାଳ ଛାଡ଼ପତ୍ର ଦିଆଯିବ କି ନାହିଁ ତାହା କୋର୍ଟ ବିଚାର କରିବେ।

ଏହାଛଡ଼ା ଏହି ତତ୍କାଳ ଛାଡ଼ପତ୍ର କ୍ଷେତ୍ରରେ ପିଲାମାନଙ୍କ ଅଧିକାର ଓ ଭରଣପୋଷଣ ଦେୟ ବିଷୟରେ ପୂର୍ବ ନିୟମ ଭଳି ସମନ୍ଵୟ ରକ୍ଷା କରିବା ପାଇଁ ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଏହି ତତ୍କାଳ ଛାଡ଼ପତ୍ର ବାବଦରେ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି କରି ରାୟ ସରଂକ୍ଷିତ ରଖିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ ଏସ କେ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏ ଏସ୍ ଓକ୍କା, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେ କେ ମାହେଶ୍ଵରୀ ସାମିଲ ଥିଲେ।

Tags: #SupremeCourt #InstantDivorce #IrretrievableBreakdown #Marriage #India

 

Comment