ଓଡ଼ିଶାଲାଇଭ୍ ବ୍ୟୁରୋ

୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହରରେ ୪ ଚକିଆ ଡିଜେଲ ଗାଡ଼ି ବନ୍ଦ କରିବା ପାଇଁ ସୁପାରିସ କରିଛି ଏନର୍ଜି ଟ୍ରାନ୍ଜିସନ ଆଡ୍ଭାଇଜରି କମିଟି।

ଡିଜେଲ ଚାଳିତ ୪ ଚକିଆ କାର୍‌ ଓ ସିଟିବସ କୌଣସି ପରିସ୍ଥିତିରେ ୧୦ ଲକ୍ଷରୁ ଅଧିକ ଲୋକ ରହୁଥିବା ସହରରେ ଚାଲିବ ନାହିଁ। ସବୁଜ୍ ଗ୍ୟାସ ନିର୍ଗମନକୁ ହ୍ରାସ କରିବାକୁ ହେଲେ ଏମିତି କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସୁପାରିସ କରିଛନ୍ତି ଏନର୍ଜି ଟ୍ରାନଜିସନ ଆଡଭାଇଜରି କମିଟି।

ସର୍ବାଧିକ ସବୁଜ ଗ୍ୟାସ ନିର୍ଗମନ କରୁଥିବା ଦେଶ ଭିତରେ ଆମ ଦେଶ ଅଛି। ପେଟ୍ରୋଲିୟମ ଓ ଥର୍ମାଲ ପାଓ୍ଵାର ପ୍ଲାଣ୍ଟରୁ ଉତ୍ପାଦିତ ଶକ୍ତି ଉପରେ ଆମ ଦେଶ ନିର୍ଭରଶୀଳ। ତୁରନ୍ତ ୪୦ ପ୍ରତିଶତ ବିଦ୍ୟୁତ ଶକ୍ତି ନବୀକରଣ ଉତ୍ସରୁ ହାସଲ କରିବା ପାଇଁ ଚାହୁଁଛି ଭାରତ।

୨୦୭୦ ମସିହା ସୁଦ୍ଧା ଶତପ୍ରତିଶତ ନବୀକରଣ ଯୋଗ୍ୟ ଉତ୍ସରୁ ଉତ୍ପାଦିତ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରିବା ପାଇଁ ଆମ ଦେଶ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହସାଲ କରିବା ପାଇଁ ହେଲେ ଡିଜେଲ, ପେଟ୍ରୋଲ ଉତ୍ପାଦିତ ଶକ୍ତି ଉପରେ ବ୍ୟବହାରକୁ ହ୍ରାସ କରିବା ପାଇଁ ହେବ। ସିଏନ୍‌ଜି, ବିଦ୍ୟୁତ୍‌ ଚାଳିତ ଗାଡ଼ି ଉପରେ ନିର୍ଭରଶୀଳତା ବଢ଼ାଇବାକୁ ପଡ଼ିବ।

କେବଳ ପରିବହନ କ୍ଷେତ୍ରରୁ ହିଁ ୧୪ ପ୍ରତିଶତ ସବୁଜ୍ ଗ୍ୟାସ ନିର୍ଗମନ ହେଉଛି। କାରଣ ଦେଶର ଯାତ୍ରୀ ପରିହବହନର ୭୧ ପ୍ରତିଶତ ସଡ଼କପଥ ଉପରେ ନିର୍ଭରଶୀଳ। ଏହି ୭୧ ପ୍ରତିଶତର ମାତ୍ର ୧୭ ପ୍ରତିଶତ ହିଁ ରେଳ ଉପରେ ନିର୍ଭରଶୀଳ। ତେଣୁ ଆମ ପାଖରେ ପରିବହନ କ୍ଷେତ୍ରରୁ ସବୁଜ ଗ୍ୟାସ ନିର୍ଗମନ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ବର୍ତ୍ତମାନ ବାଇକ୍, ସ୍କୁଟର ଓ ଟେମ୍ପୋ ସବୁ ବ୍ୟାଟେରୀଚାଳିତ ହେବାରେ ଲାଗିଛନ୍ତି। କମିଟିର ଆକଳନ ଅନୁସାରେ ୨୦୩୦ ମସିହା ବେଳକୁ ବହୁ ପୁରୁଣା ଗାଡ଼ି ସ୍କ୍ରାପ ହୋଇଯାଇଥିବ ଏବଂ ଏ କ୍ଷେତ୍ରରେ ଅଧିକାଂଶ ଗାଡ଼ି ବ୍ୟାଟେରୀ ଚାଳିତ ହୋଇଥିବା। ତେବେ କାର୍ ମଧ୍ୟରୁ କେବଳ ୫୦ ପ୍ରତିଶତ ବିଦ୍ୟୁତ୍‌ଶକ୍ତି ପରିଚାଳିତ ହୋଇଥିବ। ବାକି ୫୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ ଦ୍ଵାରା ପରିଚାଳିତ ହେଉଥିବା ଆଶା ରହିଛି।

କିନ୍ତୁ ସିଟିବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ ପରିଚାଳିତ କରିବାକୁ ପଡ଼ିବ। ବିଦ୍ୟୁତ୍ ଶକ୍ତି ଚାଳିତ ହୋଇ ନଥିଲେ କୌଣସି ବସକୁ ସିଟି ବସ ସେବାରେ ଅନ୍ତର୍ଭୁକ୍ତ  ନକରିବା ପାଇଁ ସୁପାରିସ କରାଯାଇଛି। କୌଣସି ପରିସ୍ଥିତିରେ ବି ଡିଜେଲ୍‌ରେ ଚାଲୁଥିବା ବସ୍ ଏଥିରେ ଅନ୍ତର୍ଭୁକ୍ତ ହେବ ନାହିଁ। ଏହା ସହିତ ବଡ଼ ସହରରେ ମେଟ୍ରୋଟ୍ରେନ୍ ଚଳାଚଳ ଉପରେ ମଧ୍ୟ କମିଟି ଗୁରୁତ୍ଵ ଦେଉଛନ୍ତି। କାରଣ ରେଳବାଇ ସମସ୍ତ ଲାଇନ୍‌ର ବିଦ୍ୟୁତକରଣ କରୁଛନ୍ତି। ଆଉ ୨ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହୋଇଯିବ। ଯଦି ସହର ଭିତରେ ଏବଂ ସହର ବାହାରକୁ ରେଳ ଉପରେ ଯାତ୍ରୀ ପରିବହନର ନିର୍ଭରଶୀଳତା ବଢ଼ିବ ତେବେ ମଧ୍ୟ ସବୁଜ୍ ଗ୍ୟାସ ନିର୍ଗମନକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ।

ବିକଳ୍ପ ଇନ୍ଧନ ଓ ସମ୍ପୂର୍ଣ୍ଣ ଧୂଆଁମୁକ୍ତ ପରିବହନକୁ ଆକଳନ କରି ବହୁ କାର୍ ଓ ବସ୍ ନିର୍ମାତା ଦ୍ରୁତଗତିରେ ନୂଆ ନୂଆ ଇଲେକ୍ଟ୍ରିକ୍ ମଡେଲ ଆଣିଲେଣି। ଏହାକୁ କିଣିବା ପାଇଁ ଧୀରେ ଧୀରେ ଆଗ୍ରହ ବଢୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି।

ଇଣ୍ଡିଆନ ଅଟୋମୋବାଇଲ ନିର୍ମତା ସୋସାଇଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୧,୬୮,୩୦୦ ଇଲେକ୍ଟ୍ରିକ୍ ଭେଇକିଲ୍ ବିକ୍ରି ହୋଇଥିଲା। ଏହା ପର ବର୍ଷ କୋଭିଡ ପାଇଁ ଏହା ୧ ଲକ୍ଷ ୩୪ ହଜାରକୁ ଏହା ହ୍ରାସ ପାଇଥିଲା। କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୪ ଲକ୍ଷ ୨୯ ହଜାରକୁ ବୃଦ୍ଧି ପାଇଛି। ତଥାପି ଏହା ସମୁଦାୟ ଗାଡ଼ି ବିକ୍ରିର ମାତ୍ର ୨.୩ ପ୍ରତିଶତ ରହିଛି।

ଏନର୍ଜି ଟ୍ରାନ୍‌ଜିସନ କମିଟିର ସୁପାରିସଗୁଡ଼ିକର କାର୍ଯ୍ୟକାରୀ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ କ୍ୟାବିନେଟ ମଞ୍ଜୁରୀ କେବେ ହାସଲ କରିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଇଲେକ୍ଟ୍ରିକ ଓ ହାଇବ୍ରିଡ୍‌ ଗାଡ଼ି ଚଲାଇବା ପାଇଁ ସରକାର ଏକ ବୃହତ ଲକ୍ଷ୍ୟ ନେଇ କାମ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଯୋଜନା କରିଛନ୍ତି।

ଓଡ଼ିଶା ସରକାର ମଧ୍ୟ ନିଜର ସ୍ଵତନ୍ତ୍ର ଇଲେକ୍ଟ୍ରିକ୍ ଭେଇକିଲ ଇଭି-ନୀତି ଆଣିଛନ୍ତି। ନିର୍ମାତାଙ୍କ ସହ କ୍ରେତାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆର୍ଥିକ ରିହାତିର ବ୍ୟବସ୍ଥା ମଧ୍ୟ କରାଯାଉଛି। କିଛି ଦିନ ତଳେ ସରକାରୀ ଅଧିକାରୀମାନେ ଚଢୁଥିବା ପାରମ୍ପରିକ ଇନ୍ଧନ ଚାଳିତ ଗାଡ଼ିଗୁଡ଼ିକୁ ଉଚ୍ଛେଦ ପାଇଁ ସରକାର ଯୋଜନା କରିଛନ୍ତି।

ହାଇବ୍ରିଡ୍ ଗାଡ଼ି କିଣିବା ପାଇଁ ସରକାର ନିଷ୍ପତ୍ତି ନେବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେଉଁ ଅଧିକାରୀ କେତେ ମାଇଲେଜସମ୍ପନ୍ନ  ଓ କେତେ ଦାମର ଗାଡ଼ି ଚଢ଼ିବେ ତାହାର ନୀତି ସ୍ଥିର ହୋଇଛି। ସହର ଭିତରେ ଗାଡ଼ିର ସ୍ପିଡ୍ ଘଣ୍ଟା ପ୍ରତି ୫୦ କିମି ନିର୍ଧାରିତ ହୋଇଥିବାରୁ ହାଇବ୍ରିଡ୍ ଗାଡ଼ି କିଛି ପରିମାଣରେ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସହଯୋଗ କରିବ।

Tags: #EV #ElectricVehicle #Car #CityBus #DieselCars

LEAVE A REPLY

Please enter your comment!
Please enter your name here