ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ବୁଧବାର ଦିନ ବଡ଼ ଧରଣର ଡକାୟତି ହୋଇଛି। ସହରରେ ଥିବା ‘ସେନକୋ ଗୋଲ୍ଡ’ ସୁନା ଦୋକାନରୁ ପ୍ରାୟ ୧୨ କୋଟି ଟଙ୍କାର ୧୭ କେଜି ସୁନା ଓ ରୂପା ଗହଣା ଲୁଟି ନେଇଛନ୍ତି ଡକାୟତ। ସେମାନେ ଦୋକାନର କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ସବୁ ଗହଣା ଲୁଟି ନେଇଥିଲେ।

ବୁଧବାର ମଧ୍ୟାହ୍ନ ୧ଟା ୩୦ ବେଳେ ୨ ଜଣ ଡକାୟତ ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ। ସୋରୁମ ଭିତରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗହଣା ଦେଖୁଥିବାବେଳେ ଅନ୍ୟଜଣେ ସେମାନଙ୍କ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ଏହାପରେ ପୂର୍ବ ୨ ଜଣକୁ ମିଶାଇ ମୋଟ ୭ ଜଣ ସୋରୁମ ଭିତରକୁ ଯାଇଥିଲେ।

ଏହାପରେ ଡକାୟତମାନେ ବନ୍ଧୁକ ଦେଖାଇ ସୁନା ଦୋକାନର ସବୁ କର୍ମଚାରୀଙ୍କୁ ଗୋଟେ ଜାଗାରେ ବାନ୍ଧି ଦେଇଥିଲେ। ସେମାନେ ସୋରୁମର ସିକ୍ୟୁରିଟି ଗାର୍ଡ କିଛି କର୍ମଚାରୀଙ୍କୁ ମାଡ଼ ମାରିବା ସହ ସମସ୍ତଙ୍କ ମୋବାଇଲ ଛଡ଼ାଇ ନେଇଥିଲେ।

ଡକାୟତମାନେ ସୋରୁମରେ ଥିବା କମ୍ପ୍ୟୁଟର ଓ ଅନ୍ୟାନ୍ୟ ଜିନିଷକୁ ଭଙ୍ଗାରୁଜା କରିଥିଲେ। ସେମାନେ ସୋରୁମରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ଏହାପରେ ସେମାନେ ଗହଣା ଦୋକାନରେ କଳା କାନ ବୁଲାଇ ସେଠାରୁ ଫେରାର ହୋଇଯାଇଥିଲେ।

ଶେଷରେ ଯାଜପୁର ରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ପୋଲିସ ଦୋକାନର କର୍ମଚାରୀ ଓ ଗ୍ରାହକଙ୍କୁ ଘଟଣା ସମ୍ବନ୍ଧରେ ପଚରାଉଚରା କରିଛି। ସହରର ଭିତରେ ଲାଗିଥିବା ସବୁ ସିସିଟିଭିର ଯାଞ୍ଚ ଆରମ୍ଭ ହୋଇଛି। ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Tags: #Vyasanagar #Loot #GoldShowroom #Robbery #PoliceInvestigation #Jajpur

 

Comment