ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କୋରାପୁଟ ଟାଉନ ଥାନା ପୋଲିସ। ବାଇକ ଚୋରି କରୁଥିବା ସମୟରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ଟି ଗାଡ଼ି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ ପାଣିଗ୍ରାହୀ ଏବଂ ଚନ୍ଦନ ବଢ଼େଇ।

ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଟାଉନଥାନା ଏସଡିପିଓ ମନୋଜ ପୂଜାରୀ ଏବଂ ଆଇଆଇସି ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

କୋରାପୁଟ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବାଇକ ଚୋରି କରୁଥିବା ସମୟରେ ମଙ୍ଗଳବାର ଦିନ ଅଜିତ ଏବଂ ଚନ୍ଦନଙ୍କୁ କାବୁ କରିଥିଲା ଟାଉନ ଥାନା ପୋଲିସ। ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ବେଳେ ବାଇକ୍ ଚୋରି କରିଥିବା ନେଇ ସ୍ଵୀକାର କରିଥିଲେ। କେବଳ କୋରାପୁଟ ନୁହେଁ ବିଭିନ୍ନ ଜିଲ୍ଲାରୁ ଏ ଦୁହେଁ ଏବଂ ସେମାନଙ୍କର ସହଯୋଗୀ ବାଇକ ଚୋରି କରି ବିକ୍ରି କରୁଥିବା ପୋଲିସକୁ କହିଛନ୍ତି।

ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଚୋରି ଏବଂ ଡକାୟତି ମାମଲା ରହିଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗର ଚେର କେତେ ଦୂର ଲମ୍ବିଛି ପୋଲିସ ତା’ର ଖୋଳତାଡ଼ ଆରମ୍ଭ କରିଥିବା ଏସଡିପିଓ ମନୋଜ ପୂଜାରୀ କହିଛନ୍ତି।

Tags: #Koraput #BikeLifter #BikeLiftingGang #Arrest #KoraputPolice #BikeSeize

Comment