ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନକୁ ସହଜରେ ଠାବ କରିହେବ। ଏଥିପାଇଁ କେନ୍ଦ୍ର ସଂଚାର ମନ୍ତ୍ରାଳୟ ପକ୍ଷରୁ ‘ସଂଚାର ସାରଥି’ ପୋର୍ଟାଲ ଆରମ୍ଭ କରାଯାଇଛି। ମଙ୍ଗଳବାର କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ପୋର୍ଟାଲର ଉନ୍ମୋଚନ କରିଥଲେ।

ସଂଚାର ସାରଥି ପୋର୍ଟାଲ ଦ୍ଵାରା ଫୋନକୁ ଟ୍ରାକ୍ କରାଯିବା ସହ ଦରକାର ପଡ଼ିଲେ ବ୍ଲକ ମଧ୍ୟ କରାଯାଇପାରିବ। ଏହା ଫଳରେ ଚୋରି ହୋଇଥିବା ଫୋନ ଆଉ ବ୍ୟବହାର କରିହେବ ନାହିଁ। ସାଧରଣ ଲୋକମାନେ ଖୁବ ସହଜରେ ଏହି ପୋର୍ଟାଲର ବ୍ୟବହାର କରିପାରିବେ।

“ଭାରତ ସରକାର ମୋବାଇଲ ବ୍ୟବହାରକାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସଂଚାର ସାରଥି ପୋର୍ଟାଲର ଆରମ୍ଭ କରିଛନ୍ତି। ଏହା ଲୋକଙ୍କୁ ସାଇବର ସୁରକ୍ଷା କ୍ଷେତ୍ରରେ ଆହୁରି ସଶକ୍ତ କରିବ। ଏହାଦ୍ଵାରା ଚୋରି ହୋଇଥିବା ଫୋନକୁ ଟ୍ରାକ୍ କରିହେବ, ଯାହାଫଳରେ ଅନେକ ବେଆଇନ ଗତିବିଧିକୁ ରୋକା ଯାଇପାରିବ”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

ଏହି ପୋର୍ଟାଲରେ ଫୋନ୍ ଚୋରି ଅଭିଯୋଗ ଆସିଲେ ପ୍ରଥମେ ଅଭିଯୋଗକାରୀଙ୍କ ପରିଚୟ ଯାଞ୍ଚ କରାଯିବ। ଏହାପରେ ପୋର୍ଟାଲ ଟେଲିକମ ସଂସ୍ଥା ଓ ପୋଲିସ ସହ ମିଶି ଫୋନକୁ ଠାବ କରି ବ୍ଲକ କରିବାରେ ସହଯୋଗ କରିବ। ଯଦି ଚୋରି ହୋଇଥିବା ଫୋନର ‘ଆଇଏମଇଆଇ’ ନମ୍ବରକୁ ପରିବର୍ତ୍ତନ କରାଯାଏ ତେବେ ମଧ୍ୟ ଏହାକୁ ଠାବ କରି କରିହେବ।

ଏହାଛଡ଼ା ସଂଚାର ସାରଥି ପୋର୍ଟାଲରେ ଥିବା ‘ନୋ ୟୋର ମୋବାଇଲ’ ଫିଚର ଦ୍ଵାରା ଲୋକମାନେ ସେକେଣ୍ଡ ହାଣ୍ଡ ଫୋନ କିଣିଲାବେଳେ, ତାହା ଅସଲି କି ନକଲି ଜାଣିପାରିବେ। ସେହିପରି ଏହି ପୋର୍ଟାଲରେ ମାଧ୍ୟମରେ ନିଜ ନାମରେ କେତୋଟି ସିମ୍ ରହିଛି ତାହାକୁ ମଧ୍ୟ ଲୋକେ ଜାଣିପାରିବେ।

‘ସଂଚାର ସାରଥି’ ପୋର୍ଟାଲ ସଂଚାର ମନ୍ତ୍ରାଳୟର ‘ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର’ (ସିଇଆର) ଟେକ୍ନୋଲୋଜିକୁ ଆଧାର କରି କାମ କରେ। ମନ୍ତ୍ରାଳୟ ଅଧୀନରେ ଥିବା ‘ସେଣ୍ଟର ଫର ଡେଭେଲପମେଣ୍ଟ ଅଫ ଟେଲିମ୍ୟାଟିକ୍ସ’ (ସି-ଡଟ୍) ପକ୍ଷରୁ ବିକାଶ କରାଯାଇଛି।

ଏହି ‘ସଂଚାର ସାରଥି’ ପୋର୍ଟାଲକୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଭଳି ସହରରେ ପାଇଲଟ ପ୍ରକଳ୍ପ ରୂପେ ପରୀକ୍ଷଣ କରଯାଇଥିଲା। ସେତେବେଳେ ଏହା ପ୍ରାୟ ୨୫୦୦ରୁ ଅଧିକ ଚୋରି ହୋଇଥିବା ମୋବାଇଲ ଠାବ କରିଥିଲା।

କେମିତି କରିବେ ବ୍ୟବହାର

  • ‘ସଂଚାର ସାରଥି’ ପୋର୍ଟାଲ www.sancharsarathi.gov.inକୁ ଯାଆନ୍ତୁ
  • ସେଥିରେ ଥିବା ‘ଲଷ୍ଟ/ଷ୍ଟୋଲେନ’ ମୋବାଇଲ ଅପ୍ସନକୁ କ୍ଲିକ କରନ୍ତୁ
  • ସେଠାରେ ନିଜର ମୋବାଇଲର ନମ୍ବର, ଆଇଏମଇଆଇ ନମ୍ବର ଓ ବ୍ରାଣ୍ଡର ନାମ ଦିଅନ୍ତୁ
  • ମୋବାଇଲ ଚୋରିକୁ ନେଇ ହୋଇଥିବା ପୋଲିସ ଏଫଆଇଆର୍ ନମ୍ବର ଦିଅନ୍ତୁ
  • ମୋବାଇଲ ଚୋରି ହୋଇଥିବା ତାରିଖ ଓ ସ୍ଥାନ ଉଲ୍ଲେଖ କରନ୍ତୁ 
  • ଏହାପରେ ନିଜର ବ୍ୟକ୍ତିଗତ ସୂଚନା ଦେଇ ସେଲ୍ଫ ଡିକ୍ଲାରେସନ ଫର୍ମ ଭରନ୍ତୁ
  • ଏହାପରେ ପୋର୍ଟଲରେ ଅଭିଯୋଗର ଆଇଡି ଜାରି ହୋଇ ଫୋନ ଟ୍ରାକ୍ କରାଯିବ 

Tags: #SancharSarathiPortal #LostMobile #CyberSecurity #MinistryCommunications

 

Comment